Sunday, October 25, 2026
20.1 C
Odisha

    ଅମିତ୍ ରୋହିଦାସ୍‌ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଶ୍ରୀ ଅମିତ୍‌ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମିତ୍‌ଙ୍କର ଭୂୟସୀ ପ୍ରଶଂସା କରି ତାଙ୍କୁ ଓଡିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅମିତ୍‌ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରକୃତ ପରିଚୟ। ଆମ ଓଡିଆ ଅସ୍ମିତାକୁ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ହେଉଛି ଏକ ପବିତ୍ର ଦିନ। ଆଗାମୀ ଅଲମ୍ପିକ୍ସ ପାଇଁ ସଂକଳ୍ପର ଦିନ। ସାଢେ ଚାରି କୋଟି ଓଡିଶାବାସୀଙ୍କ ଶୁଭେଚ୍ଛା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୨୮ ଲସ୍ ଏଞ୍ଜେଲେସ୍ ଅଲମ୍ପିକ୍ସରେ ଆମେ ସ୍ୱର୍ଣ୍ଣ ପଦକ ହାସଲ କରିବୁ ବୋଲି ଆଶାବ୍ୟକ୍ତ କରିଥିଲେ। ଭାରତୀୟ ହକି ଦଳକୁ ଓଡିଶାର ସ୍ପନ୍‌ସର୍‌ସିପ୍ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ। ଅମିତ୍‌ଙ୍କ ହକି ଯାତ୍ରାର ସଫଳ କହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ଗଡ ଭାବେ ପରିଚିତ ସୁନ୍ଦରଗଡର ସଉନାମରା ଗାଁରେ ଅମିତ୍ ଜନ୍ମ ଗ୍ରହଣ କରିଥିଲେ। ଗାଁ ମାଟିରୁ ପାନ୍‌ପୋଷ ହଷ୍ଟେଲ ଓ ପାନ୍‌ପୋଷ ହଷ୍ଟେଲରୁ ଭାରତୀୟ ହକି ଦଳ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ଗୌରବମୟ। ୨୦୧୭ରୁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଅମିତ୍‌ ରୋହିଦାସ୍‌ କହିଥିଲେ ଯେ ଓଡିଶାରେ ପହଞ୍ଚିବା ପାଇଁ ତାଙ୍କ ହୃଦୟ ବ୍ୟାକୁଳ ଥିଲା। ତେଣୁ ଭୁବନେଶ୍ୱର ପହଞ୍ଚି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ବହୁତ ଖୁସି। ୫୨ ବର୍ଷ ପରେ ଆମେ (ଭାରତୀୟ ହକି ଦଳ) ଅଲମ୍ପିକ୍ସରେ ଲଗାତାର ପଦକ ଜିତି ରେକର୍ଡ ଭାଙ୍ଗିଛୁ ବୋଲି ସେ କହିଥିଲେ। ଓଡିଶା ଓ ଦେଶର କୋଟି କୋଟି କ୍ରୀଡାପ୍ରେମୀମାନଙ୍କ ଶୁଭେଚ୍ଛା ପାଇଁ ସେ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେ ଅଲମ୍ପିକ୍ସର ଜର୍ସି ଓ ମାସ୍କଟ ଉପହାର ଦେଇଥିଲେ। ସେହି ଜର୍ସିରେ ଭାରତୀୟ ଦଳର ସବୁ ଖେଳାଳୀମାନଙ୍କର ଦସ୍ତଖତ ରହିଛି। ଏହି ଜର୍ସି ନିଶ୍ଚିତ ଭାବେ ଓଡିଶାର ସବୁ ହକି ଖେଳାଳୀଙ୍କୁ ପ୍ରେରଣା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ , ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଶ୍ରୀ ବାବୁ ସିଂ, ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଓ କ୍ରୀଡା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.1 ° C
    20.1 °
    20.1 °
    68 %
    1.7kmh
    20 %
    Sun
    20 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ