ପଟ୍ଟାମୁଣ୍ଡାଇ : ଆଜିର ଏ ସ୍ୱାର୍ଥପର ଦୁନିଆରେ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ନିସ୍ୱାର୍ଥପର ସେବା କରନ୍ତି । ଆଉ ଏହି ନିସ୍ୱାର୍ଥପର ଲୋକମାନଙ୍କ ମଧ୍ୟରୁ ଅନ୍ୟତମ ଆଦର୍ଶ ଥାନାର ଆଇଆଇସି ବନ୍ଦନା ପାତ୍ର । ଥାନାର ଆଇଆଇସି ଅଧିକାରୀ ହେଲେ ମନରେ ଟିକେ ବି ଗର୍ବ ନାହିଁ । ରାସ୍ତାରେ ଏକ କୁନି ଝିଅର କାନ୍ଦ ଶୁଣି ସମ୍ଭାଳି ପାରିନଥିଲେ ନିଜକୁ ଆଉ ଦୌଡ଼ିଗଲେ ତାକୁ କୋଳେଇ ଆଣିବା ପାଇଁ । ଖାକି ପୋଷାକ ତଳେ ବି ଲୁଚି ରହିଛି ମାଆର ମମତା ଆଉ ମଣିଷପଣିଆ । ଉପରକୁ ଯେତେ ଶକ୍ତ ଦେଖାଗଲେ ବି ଭିତରେ ରହିଛି ଅସୀମ ସ୍ନେହ ଶ୍ରଦ୍ଧା । ଯାହାର ଏକ ନିଚ୍ଛକ ସତ୍ୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ । ଆଦର୍ଶ ଥାନାର ଆଇଆଇସି ବନ୍ଦନା ପାତ୍ର ଆଜି ଏଭଳି ମାନବିକତା ଦେଖାଇଛନ୍ତି ଯେଉଁଥିପାଇଁ ଆଜି ତାଙ୍କୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ଖବର ମୁତାବକ, କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଏଣ୍ଡର ଗ୍ରାମର ଧନେଶ୍ଵର ଜେନା ଓ ଦୀପା ଜେନା ନିଜ ୩ ବର୍ଷୀୟ ଶିଶୁକନ୍ୟା ରାନିକୁ ଧରି ଶୁଦ୍ଧିକ୍ରିୟା ପାଈଁ ପଟ୍ଟାମୁଣ୍ଡାଇ ଅଞ୍ଚଳର ବକ୍ତାରପୁର ଗାଁକୁ ଆସିଥିଲେ ।
ଆଉ ସେଠାରେ ତାଙ୍କ ଶିଶୁକନ୍ୟା ହଜିଯାଇଥିଲା । ଯାହାପରେ କୁନି ଝିଅଟି କାନ୍ଦୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ଥାନା ଆଇଆଇସି । ଅନ୍ୟପଟେ ଶିଶୁକନ୍ୟାକୁ ପଟ୍ଟାମୁଣ୍ଡାଇ ପୋଲିସ୍ ଉଦ୍ଧାର କରିବା ସହ ଥାନା ଆଇଆଇସି ବନ୍ଦନା ପାତ୍ର ପିଲାଟିକୁ ନିଜ ଘର ଏବଂ ପରିଚୟ ବିଷୟରେ ପଚାରିଥିଲେ । ତିନି ବର୍ଷର ରାନି କିଛି କହିନଥିବାରୁ ଥାନା ଅଧିକାରିଣୀ ତାଙ୍କୁ ନିଜ ସରକାରୀ ବାସଭବନରେ ଖୁଆଇବା ସହ କୁନି ଝିଅଟି ପାଇଁ ନୂଆ ସାର୍ଟ ପ୍ୟାଣ୍ଟ କିଣି ଆଣିଦେଇଥିଲେ । ଆଉ ଖୁବ ସ୍ନେହ ଆଦରରେ କୁନି ଝିଅଟିକୁ ନିଜ ପାଖରେ ରଖିଥିଲେ ।ମା’ଠୁ ଦୂରରେ ଥିବାର ଅନୁଭବ କରିବାକୁ ଦେଇ ନଥିଲେ । ଠିକ ନିଜ ମା’ ଭଳି ହିଁ ସ୍ନେହ ମମତା ଦେଇ ଖୁଆଇ ପିଆଇ କୁନି ଝିଅଟିକୁ ନିଜ ଘରେ ରଖିଥିଲେ । ଯାହାପରେ ଥାନା ଅଧିକାରୀମାନେ ଏହି ଖବରକୁ ସୋସିଆଲ ମିଡ଼ିଆରେ ଖବର ଭାଇରାଲ କରିବା ସହ କିଛି ସାମ୍ବାଦିକମାନଙ୍କୁ ମଧ୍ୟ ଏହି ଖବର ଦେଇଥିଲେ । ଦୀର୍ଘ ଚାରିଘଣ୍ଟା ପରେ ସୋସିଆଲ ମିଡ଼ିଆରୁ ଝିଅର ଖବର ପାଇ ରାନିଙ୍କ ବାପା ମାଆ ଥାନାକୁ ଆସି ନିଜ ଝିଅକୁ ବେଶ ଖୁସିରେ ଘରକୁ ନେଇଯାଇଥିଲେ । ଆଜିକାଲି ପୋଲିସଙ୍କର ଖରାପ ବ୍ୟବହାରକୁ ନେଇ ବିଭିନ୍ନ ମହଲରୁ ଆଙ୍ଗୁଠି ଉଠୁଥିବା ବେଳେ ପଟ୍ଟାମୁଣ୍ଡାଇ ଆଇଆଇସିଙ୍କ ଏପରି ମାନବିକତା ଆଜି ପୋଲିସଙ୍କ ପ୍ରତି ସମସ୍ତଙ୍କ ମନୋଭାବ ବଦଳାଇ ଦେଇଛି । ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷର ନିଜ କଥା ବୁଝିବାକୁ ବି ସମୟ ନାହିଁ । ଏଭଳି ପରିସ୍ଥିତିରେ ଏଭଳି ନିସ୍ଵାର୍ଥପର ସେବାଭାବ ଖୁବ କମ ଦେଖିବାକୁ ମିଳିଥାଏ । ସତରେ ଆଇଆଇସିଙ୍କ ଏଭଳି ମାନବିକତା ଖୁବ ପ୍ରଶଂସନୀୟ । ଯାହାକୁ ନେଇ ଆଇଆଇସିଙ୍କୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।