Tuesday, August 25, 2026
23.9 C
Odisha

    ଆଇଟିଡିଏରେ ଅନିୟମିତତା ଧରିଲେ ସିଏଜି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନ‌ରେ କାର୍ଯ୍ୟ କରୁଥିବା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ଗୁଡ଼ିକରେ ବିଭିନ୍ନ ଅନିୟମିତତା ହୋଇଥିବା ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ରିପୋର୍ଟରେ ପ୍ରକାଶ ପାଇଛି।

    ରିପୋର୍ଟ ଅନୁସାରେ, ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ସମୟସୀମା ମଧ୍ୟରେ ୧୧ଟି ଆଇଟିଡିଏର ଅନୁପାଳନ ସମୀକ୍ଷା କରାଯାଇଥିଲା। ଯାଞ୍ଚଭୁକ୍ତ ୧୧ଟି ଆଇଟିଡିଏ ପାଖରେ ୧,୭୦୯.୪୭ କୋଟି ଟଙ୍କା ଉପଲବ୍ଧ ଥିବାବେଳେ ସେଥିରୁ ୧,୧୯୦.୪୪ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି, ଅର୍ଥାତ କେବଳ ୭୦% ଖର୍ଚ୍ଚ ହୋଇଛି। ଏହା ଆଇଟିଡିଏଗୁଡ଼ିକର ଖରାପ ଖର୍ଚ୍ଚ ଦକ୍ଷତାକୁ ଦର୍ଶାଉଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ସୋସାଇଟି ପଞ୍ଜୀକରଣ ଅଧିନିୟମ, ୧୮୬୦ର ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ଥିଲେ ମଧ୍ୟ କୌଣସି ଆଇଟିଡିଏ ବାର୍ଷିକ ହିସାବ ପ୍ରସ୍ତୁତ କରିନଥିଲେ। ହିସାବ ପ୍ରସ୍ତୁତ ନହେବା କାରଣରୁ କ୍ଷତି କିମ୍ବା ଅଯଥା ବ୍ୟୟ ତଥା ବ୍ୟୟରେ ଅପାରଗତା ସମ୍ପର୍କିତ ସମସ୍ୟାର ସମାଧାନ ହୋଇପାରିନି। ଓପିଡବ୍ଲ୍ୟୁଡି କୋଡ୍‌ର ବ୍ୟବସ୍ଥା ଅନୁଯାୟୀ, ବିଭାଗୀୟ କାର୍ଯ୍ୟ ପାଇଁ ଖର୍ଚ୍ଚ ଆଇଟିଡିଏର ବ୍ୟକ୍ତିଗତ ଖାତା ଆକାଉଣ୍ଟରୁ ହେବା ଉଚିତ୍; କନିଷ୍ଠ ଯନ୍ତ୍ରୀ(ଜେଇ)/ସହାୟକ ଯନ୍ତ୍ରୀ(ଏଇ)ଙ୍କ ନାମରେ ଖୋଲାଯାଇଥିବା ପୃଥକ୍ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ନୁହେଁ। ହେଲେ ବିଭାଗୀୟ କାର୍ଯ୍ୟ ପାଇଁ ସମସ୍ତ ଦେୟ ଜେଇ/ଏଇମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ପଠାଯାଇଥିଲା। ପ୍ରଚଳିତ ମାର୍ଗଦର୍ଶିକା କିମ୍ବା ସରକାରଙ୍କ କୌଣସି ନିର୍ଦେଶ ଏଥିପାଇଁ ନଥିଲା। ଏହି ବ୍ୟାଙ୍କ ଆକାଉଣ୍ଟରୁ ୧୪୮.୭୫ କୋଟି ଟଙ୍କାର ବ୍ୟକ୍ତିଗତ କାରବାର ଯଥା- ଏଟିଏମ୍‌ ଜରିଆରେ ନଗଦ ଉଠାଣ, ଚେକ୍‌ ଜରିଆରେ ଦେୟ, ପିଓଏସ୍‌ ମାଧ୍ୟମରେ ଦେୟ, ବୀମା ପ୍ରିମିୟମ ଦେୟ, ମୋବାଇଲ ଫୋନ୍ ରିଚାର୍ଜ ଏବଂ ୟୁପିଆଇ କାରବାର ଆଦି ଜେଇ/ଏଇମାନେ କରିଛନ୍ତି। ଏହା ସରକାରୀ ଅର୍ଥର ସନ୍ଦେହଜନକ ଅପବ୍ୟବହାରକୁ ସୂଚାଉଛି।

    ସେହିପରି ୯ଟି ଆଇଟିଡିଏରେ ୪୯୦ଟି କାର୍ଯ୍ୟ ପାଇଁ ୨୦.୭୧ କୋଟି ଟଙ୍କା ବରାଦ ହୋଇଥିବାବେଳେ କେସ୍‌ ରେକର୍ଡ ଫାଇଲ୍‌ରେ କେବଳ ୧୭.୩୩ କୋଟି ଟଙ୍କାର ଭାଉଚର୍‌ ଉପଲବ୍ଧ ଥିଲା। ଭାଉଚର୍‌ ମୂଲ୍ୟଠାରୁ ଖର୍ଚ୍ଚ ପରିମାଣ ୩.୩୮ କୋଟି ଟଙ୍କା ଅଧିକ ଥିଲା। ସାଇଟ୍‌ ପରିଦର୍ଶନ, ଡ୍ରଇଂ, ଡିଜାଇନ ଏବଂ ଇଣ୍ଡେକ୍ସ ମାନଚିତ୍ର ପ୍ରସ୍ତୁତ ନ କରି ୫୪୪ଟି କାର୍ଯ୍ୟର ମୂଲ୍ୟ ଅଟକଳ ପ୍ରସ୍ତୁତ ହୋଇଥିଲା। ସମବାୟ ସମିତିକୁ ଦିଆଯାଇଥିବା ସୁବିଧା ପ୍ରତ୍ୟାହାର ସତ୍ତ୍ବେ ୧୦ଟି ଆଇଟିଡିଏ ବିନା ଟେଣ୍ଡରରେ ସମବାୟ ସମିତିଗୁଡ଼ିକରୁ ୫୪.୨୫ କୋଟି ଟଙ୍କାର ଇନପୁଟ ସାମଗ୍ରୀ କ୍ରୟ କରିଥିଲେ। ପାରଳାଖେମୁଣ୍ଡିସ୍ଥିତ ଆଇଟିଡିଏ ପିଏ ନିଜ କ୍ଷମତାକୁ ଅତିକ୍ରମ କରି ୩.୭୪ କୋଟି ଟଙ୍କାର ବାଦ୍ୟଯନ୍ତ୍ର ଓ ପୋଷାକ କିଣିଥିବାବେଳେ ପ୍ରଶାସନିକ ଅନୁମୋଦନ ଏଥିଲାଗି ମାତ୍ର ୭୩.୬୦ ଲକ୍ଷ ଟଙ୍କା ଥିଲା ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। ମାର୍ଚ୍ଚ ୨୦୨୩ ଶେଷ ସୁଦ୍ଧା ଅନୁସୂୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଉପରେ ହୋଇଥିବା ସମୀକ୍ଷାରୁ ଏହା ଜଣାପଡ଼ିଛି। ବୁଧବାର ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ମହାଲେଖାକାର (ଅଡିଟ୍‌-୧) ସୁବୁ ଆର୍‌., ମହାଲେଖାକାର (ଅଡିଟ୍‌-୨) ଅତୁଲ ପ୍ରକାଶ ଏହା ଉପ‌େର ସବିଶେଷ ସୂଚନା ପ୍ରଦାନ କରିଥିଲେ। ବରିଷ୍ଠ ଉପ ମହାଲେଖାକାର ଭରତ ଚନ୍ଦ୍ର ବେହେରା, ଉପ ମହାଲେଖାକାର ସ୍ବାମୀ ଶୁଭମ ଭାଇଜନାଥ, ପ୍ରଥମ ପ୍ରତୀକ୍ଷା ପ୍ରଧାନ, ବରିଷ୍ଠ ଅଡ଼ିଟ୍ ଅଧିକାରୀ ଭାସ୍କର ଚନ୍ଦ୍ର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    95 %
    1.8kmh
    100 %
    Mon
    24 °
    Tue
    29 °
    Wed
    30 °
    Thu
    28 °
    Fri
    29 °

    ସମ୍ବନ୍ଧିତ