ଆଜିକାଲି ଦୃଷ୍ଟିଶକ୍ତି ଜନିତ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଅତ୍ୟଧିକ ମୋବାଇଲ୍ ବ୍ୟବହାର, କମ୍ପ୍ୟୁଟର ସାମନାରେ କାମ କରିବା ଓ କୌଣସି କାରଣ ବସତଃ ମାନସିକ ଅଶାନ୍ତି ଦେଖାଯାଉଛି। ଏ ସବୁଥିରୁ ମୁକ୍ତି ପାଇଁ ଆମେ ତ୍ରାଟକ ଯୋଗ କରିପାରିବା। ଏହି ଅଭ୍ୟାସ ଦ୍ବାରା ଆଖି ପରିଷ୍କାର ଓ ଉଜ୍ଜଳ ଦେଖାଯାଏ । ସ୍ନାୟୁ ତନ୍ତ୍ରରେ ଭାରସାମ୍ୟ ଆସିଯାଏ, ସ୍ନାୟବିକ ଚାପ, ଉଦ୍ବେଗ, ଅବସାଦ ଏବଂ ଅନିଦ୍ରା ଦୂର ହୁଏ। ସ୍ମରଣ ଶକ୍ତି, ମନର ଏକାଗ୍ରତା ଓ ଇଚ୍ଛାଶକ୍ତିର ଉନ୍ନତି ହୁଏ।
ତ୍ରାଟକ ଅର୍ଥ ‘ଦେଖିବା’। ଏହା ଦୈହିକ ଓ ମାନସିକ ଅଭ୍ୟାସ ମଧ୍ୟରେ ଗୋଟିଏ ସୋପାନ ପରି ଯାହା ସାହାଯ୍ୟରେ ଉଚ୍ଚ ଚେତନାର ସ୍ଥିତିରେ ପହଞ୍ଚି ହୁଏ। ଏହାକୁ କରିବାକୁ ହେଲେ ପ୍ରଥମେ –
ମହମବତୀ ଜଳାଇ ଗୋଟିଏ ଛୋଟ ଟେବୁଲ୍ ଉପରେ ରଖନ୍ତୁ ଯେପରି ବସିଲେ ତା’ର ଶିଖା ଆଖି ଉଚ୍ଚରେ ରହିବ।
ଯେକୌଣସି ଆରାମଦାୟକ ଧ୍ୟାନାସନରେ ବସନ୍ତୁ, ଯେପରି ମୁଣ୍ଡ ଓ ମେରୁଦଣ୍ଡ ସିଧା ରହିବ।
ନିଜର ସ୍ଥିତିକୁ ସଜାଡ଼ି ନିଅନ୍ତୁ ଯେପରି ମହମବତୀ ଗୋଟିଏ ହାତ ଦୂରରେ ରହିବ।
ଆଖି ବନ୍ଦ କରନ୍ତୁ ଏବଂ ସାରା ଦେହ ଢ଼ିଲା କରନ୍ତୁ, ବିଶେଷ କରି ଆଖି।
କିଛି ମିନିଟ୍ ପାଇଁ ଦେହର ସ୍ଥିରତା ପ୍ରତି ଲକ୍ଷ୍ୟ କରନ୍ତୁ। ଅଭ୍ୟାସ ଶେଷ ପର୍ଯ୍ୟନ୍ତ ଦେହ ସଂପୂର୍ଣ୍ଣ ସ୍ଥିର ରହିବ। ଆଖି ଖୋଲନ୍ତୁ, ବଳିତାର ଅଗକୁ ସ୍ଥିର ଭାବରେ ଦେଖନ୍ତୁ।
ଶିଖା ସାମାନ୍ୟ ହଲି ପାରେ କିନ୍ତୁ ବଳିତାର ଅଗ ସବୁବେଳେ ସ୍ଥିର ରହିବ।

