ମନ୍ତ୍ରୀ କହିଛନ୍ତି, ଅଗଷ୍ଟ ୯ରେ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ତ୍ରିରଙ୍ଗା ରୢାଲି’ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ। ଅନୁରୂପ ଭାବେ ଜିଲ୍ଲାସ୍ତରରେ ତ୍ରିରଙ୍ଗା ଶୋଭାଯାତ୍ରା ହେବ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୬୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରୁଛନ୍ତି। ଏସବୁ ଜିଲ୍ଲାମାନଙ୍କୁ ବଣ୍ଟନ କରାଯିବ। ଅଗଷ୍ଟ ୧୪ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଜୟଦେବ ଭବନରେ ରାଜ୍ୟସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ। ସମସ୍ତ ଜିଲ୍ଲାରେ ମଧ୍ୟ ଏହି ସ୍ମୃତି ଦିବସ ପାଳନ ହେବ। ଦେଶ ବିଭାଜନ ସମୟରେ ପ୍ରଭାବିତ ପରିବାରବର୍ଗଙ୍କୁ ସମ୍ମାନିତ କରାଯିବ। କ୍ୟାଣ୍ଡେଲ୍ ଶୋଭାଯାତ୍ରା ହେବ।
ଅଗଷ୍ଟ ୧୫ରେ ‘ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ’ ପାଳନ ପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ‘ଭାରତୀୟମ୍’ର ଆୟୋଜିତ ହେବ। ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ କନସର୍ଟ ଆୟୋଜନ କରାଯିବ। ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ତ୍ରିରଙ୍ଗା ସହ ସେଲ୍ଫି ଉଠାଇ harghartiranga.com ୱେବ୍ସାଇଟ୍ରେ ଅପଲୋଡ୍ କରି ନିଜର ଡିଜିଟାଲ ପ୍ରମାଣପତ୍ର ଡାଉନ୍ଲୋଡ୍ କରିପାରିବେ। ଏଥିସହ My Gov ପୋର୍ଟାଲରେ ମଧ୍ୟ ଅନଲାଇନ୍ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଘରେଘରେ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ସହ ଅନ୍ଲାଇନ୍ କୁଇଜ୍ରେ ଅଂଶଗ୍ରହଣ କରିବେ।
