ପୁରୀ : ୧୩ ଦିନର ବ୍ୟବଧାନ ପରେ ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁନା ଅଳଙ୍କାରର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି ଆରମ୍ଭ ହେବ। ଗତ ମାସ ୨୫ରେ ମହାପ୍ରଭୁଙ୍କ ଚଳନ୍ତି ସୁନା ଅଳଙ୍କାରର ଗଣତି ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଛି। ବୁଧବାର ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାରର ଗଣତି କରାଯିବ। ଏନେଇ ପୂର୍ବ ନିର୍ଦ୍ଧାରିତ ସରକାରଙ୍କ ମାର୍ଗଦର୍ଶିକା ଅନୁସରଣ କରାଯିବ ବୋଲି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟାଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି ୮ରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପରେ ଚଳିତ ମାସ ୧୩ ଏବଂ ତା’ପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଜାରି ରହିବ। ୮ରେ ପୂର୍ବ ଭଳି ରତ୍ନଭଣ୍ଡାରର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାରର ଗଣତିମଣତି କରାଯିବ। ପୂର୍ବ ମାର୍ଗଦର୍ଶିକାକୁ ଅନୁକରଣ କରାଯାଇ ତଦାରଖ ଟିମ୍ ଓ ସମ୍ପାଦନା ଟିମ୍ ରହିବେ। ରତ୍ନଭଣ୍ଡାର ଭିତରକୁ କେବଳ ସମ୍ପାଦନା ଟିମ୍ ସଦସ୍ୟ ପ୍ରବେଶ କରିବେ। ସମସ୍ତ ଅଧିକୃତ ଟିମ୍ ରତ୍ନଭଣ୍ଡାର
ଭିତରକୁ ପ୍ରବେଶ ପୂର୍ବରୁ ପାରମ୍ପରିକ ପୋଷାକ ପରିଧାନ କରିବେ।
ସୂଚନାଯୋଗ୍ୟ, ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର କେବଳ ସୁନାବେଶ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯାଇଥାଏ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ଗଣତି ବେଳେ ରତ୍ନ ବିଶାରଦ, ଶ୍ରୀମନ୍ଦିର ବଣିଆ, ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ ମାପ ବିଭାଗର ଅଧିକାରୀମାନେ କସଟି ପଥର, ରତ୍ନ ଚିହ୍ନିବା ପାଇଁ ଲେନ୍ସ ଓ ଅଳଙ୍କାର ଓଜନ ମେସିନ୍ ସହ ଭିତରକୁ ଯିବେ ବୋଲି ସୂଚନା ମିଳିଛି। ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଗଣତି ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଏବଂ ୩ଡ଼ି ମ୍ୟାପିଂ କରାଯାଇ ତାଲିକା ପ୍ରସ୍ତୁତ କରାଯିବ। ଗଣତି ପ୍ରକ୍ରିୟା ଚାଲୁ ରହିବା ସମୟରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅବ୍ୟାହତ ରହିବ। ଗଣତି ପାଇଁ କଡ଼ା ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ଭିତର କାଠରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
