ନୂଆଦିଲ୍ଲୀ : ଆଜି ଆଇପିଏଲରେ ମହାଲଢେଇ । ଚଣ୍ଡିଗଡ଼ରେ ଦ୍ବିତୀୟ କ୍ବାଲିଫାୟାରରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍ ର ବିଜେତା ରବିବାର ଫାଇନାଲରେ ବେଙ୍ଗାଲୁରୁକୁ ଭେଟିବ । ରାଜସ୍ଥାନ ଏଲିମିନେଟର୍ ମ୍ୟାଚ୍ ରେ ହାଇଦ୍ରାବାଦକୁ ହରାଇ ପହଞ୍ଚିଥିବା ବେଳେ, ଗୁଜରାଟ କ୍ୱାଲିଫାୟର୍-୧ ରେ ଆରସିବିଠାରୁ ହାରି ଦ୍ୱିତୀୟ ସୁଯୋଗ ପାଇଛି । ଶୁବମନ ଗିଲ୍ ନେତୃତ୍ବାଧୀନ ଗୁଜୁରାଟ ଆଗରେ ରାଜସ୍ଥାନର ରନ୍ ମେସିନ ତଥା ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ରୋକିବା ମୁଖ୍ୟ ଆହ୍ବାନ ରହିବ । ଏଲିମିନେଟର୍ ମ୍ୟାଚ୍ ରେ ମାତ୍ର ୨୯ ବଲ୍ ରୁ ୧୨ ଛକା ସହ ୯୭ ରନ୍ ର ଅବିଶ୍ୱସନୀୟ ଇନିଂସ ଖେଳିଥିଲେ । ରବାଡ଼ା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ରସିଦ ଖାଁଙ୍କୁ ନେଇ ଗୁଜରାଟର ବୋଲିଂ ବାହିନୀ ବେଶ ସନ୍ତୁଳିତ ଓ ଶକ୍ତିଶାଳୀ ଥିଲେ ବି ମୁଲାନପୁରର ବ୍ୟାଟିଂ ଅନୁକୂଳ ପିଚ୍ ରେ ତାହା ବୈଭବଙ୍କୁ କିପରି ଅଟକାଇବ ତାହା ଉପରେ ସମସ୍ତଙ୍କ ନଜର ରହିବ ।
ପାୱାରପ୍ଲେରେ ତାଙ୍କୁ ରୋକିବା ଗୁଜରାଟର ରସିଦ୍ ଖାନ୍ କିମ୍ବା ମହମ୍ମଦ ସିରାଜଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ରେ ସିରାଜ ଏକ ସର୍ଟ ବଲ୍ ରେ ବୈଭବଙ୍କୁ ଆଉଟ କରିଥିଲେ । ଏବେ ସର୍ଟ ବଲ୍ ଦ୍ବାରା ଗୁଜରାଟର ବୋଲରମାନେ ତାଙ୍କୁ ସହଳ ଆଉଟ୍ କରିବାକୁ ଚେଷ୍ଟା କରିବେ । ରୟାଲ୍ସର ଅନ୍ୟ ପ୍ରମୁଖ ଖେଳାଳି ଯଶସ୍ବୀ ଜୟସ୍ବାଲ, ଜୋଫ୍ରା ଆର୍ଚର ଓ ଧ୍ରୁବ ଜୁରେଲ୍ ବି ଯେକୌଣସି ମ୍ୟାଚ୍ ର ଗତି ବଦଳାଇବାକୁ ସକ୍ଷମ । ସେମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରିବ ଗିଲ୍ ବାହିନୀ । ରାଜସ୍ଥାନ ରୟାଲ୍ସ ବୈଭବଙ୍କ ବଳରେ ବଳିଆନ ହୋଇଥିଲେ ବି ରେକର୍ଡ ଗୁଜୁରାଟ ଟାଇଟନ୍ସ ସପକ୍ଷରେ ରହିଛି । ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୧୦ଟି ମ୍ୟାଚ୍ ଖେଳାଯାଇଛି । ସାତଟିରେ ଟାଇଟନ୍ସ ଓ ତିନିଟିରେ ରୟାଲ୍ସ ବିଜୟୀ ହୋଇଛି । ମୁଲାନପୁରର ପିଚ୍ ବ୍ୟାଟରକୁ ସୁହାଇବା ଆଶା ରହିଛି । ଚଳିତ ସିଜିନରେ ଗୁଜରାଟ ରାଜସ୍ଥାନକୁ ୭୭ ରନ୍ ର ବଡ଼ ବ୍ୟବଧାନରେ ହରାଇଛି । ଗୁଜରାଟ ବିପକ୍ଷରେ ସ୍କୋର ଚେଜ୍ କରିବା ରାଜସ୍ଥାନ ପାଇଁ ସବୁବେଳେ କଷ୍ଟକର ହୋଇଛି ।
