Friday, March 27, 2026
29.9 C
Odisha

    ଆଜି ଆଉ ଏକ ଲଘୁଚାପ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗ ଓ ଓଡ଼ିଶା ସଂଲଗ୍ନ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବଜ୍ରପାତର ସମ୍ଭାବନା ରହିଛି। ଏଥିସହ ସେହିସବୁ ଅଞ୍ଚଳରେ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ। ତେଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ବଜ୍ରପାତ ସହ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ ପୂର୍ବ ରାଜସ୍ଥାନର ମଧ୍ୟ ଭାଗରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ରହିଥିବା ଘୂର୍ଣ୍ଣିବଳୟ ମୌସୁମୀ ଟ୍ରଫ୍‌ ସହ ମିଶିଯାଇଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ୧୮ ତାରିଖ ଯାଏ ଏହିଭଳି ବର୍ଷା ଜାରି ରହିବ।
    ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି। ଏଥି ସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ପ୍ରବଳ ବେଗରେ ପବନ ବହିବା ତଥା ବର୍ଷା ଯୋଗୁଁ ବଡ଼ ବଡ଼ ବୃକ୍ଷ ଉପୁଡ଼ିପଡ଼ିବା, କଚ୍ଚା ରାସ୍ତା ଓ ମାଟି ରାସ୍ତା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଏଣୁ ପ୍ରଶାସନକୁ ତୀକ୍ଷ୍‌ଣ ନଜର ରଖିବାକୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    36 %
    3.8kmh
    87 %
    Fri
    29 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ