Wednesday, April 8, 2026
37.8 C
Odisha

    ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ

    ଆଗକୁ ପଢନ୍ତୁ

    ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ । ମହାତ୍ମା ଗାନ୍ଧୀ ନିଜର ଆଦର୍ଶ ଓ ଅହିଂସାର ବାର୍ତ୍ତା ପ୍ରଦାନ କରିଥିବା ପାଇଁ ବିଶ୍ୱରେ ଆଜି ତାଙ୍କୁ ଲୋକେ ମନେ ରଖିଛନ୍ତି। ଜାତିର ପିତା କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ । ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୁଆ ମୋଡ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ ।

    ଏହା ଏକ ଅଭିନବ ଅସ୍ତ୍ର ଯାହାର ପ୍ରୟୋଗରେ ରକ୍ତପାତ ନଥିଲା, କାହା ପାଖରେ ଲୁହ ନଥିଲା, ଅଥଚ ଯୁଦ୍ଧ ଜୟ ଥିଲା । ସେ ଦୃଷ୍ଟିରୁ ବିଚାର କଲେ ସେ ଥିଲେ ଶ୍ରେଷ୍ଠମାନଙ୍କ ମଧ୍ୟରେ ଶ୍ରେଷ୍ଠତ୍ତମ । ବୋଧହୁଏ ବୁଦ୍ଧ ଓ ଯୀଶୁଙ୍କ ପରେ ମହାତ୍ମାଗାନ୍ଧୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ସମଗ୍ର ବିଶ୍ୱର ଜନଜୀବନରେ ଗଭୀର ପ୍ରଭାବ ସୃଷ୍ଟି କରିପାରିଥିଲେ ।
    ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।ଆଇନ୍ ପାଠ ସାରି ଦକ୍ଷିଣ ଆଫ୍ରିକାରେ ପେଶାଦାର ଜୀବନ ଆରମ୍ଭ କରିବା ବେଳେ ହିଁ ମହାତ୍ମାଗାନ୍ଧୀଙ୍କ ଭିତରେ ଥିବା ନେତୃତ୍ୱ ନେବା ଗୁଣ ପ୍ରସ୍ପୁଟିତ ହୋଇଥିଲା ।

    କଳା-ଗୋରା ଭେଦଭାବକୁ ଦୂର କରିବା ନେଇ ସେ ଆରମ୍ଭ କରିଥିଲେ ଆନ୍ଦୋଳନ। ୧୯୧୫ ମସିହାରେ ଭାରତ ଫେରି ଆସି ଦେଶର ସ୍ୱାଧିନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନ କରି ଅହିଂସା ପଥରେ ଦେଶ ପାଇଁ ସ୍ୱାଧୀନ ଆଣି ଦେଇଥିଲେ ଏହି ମହାନ ଜନନାୟକ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେ ନାମକ ଜଣେ ଆତତାୟୀ ଗୁଳିରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ବାପୁଜୀ ।

    ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଗାନ୍ଧୀଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ହୁଏତ ସାଧାରଣ ଲୋକଙ୍କୁ ଜଣା ନ ଥାଇ ପାରେ। ଏକଦା ବିଶ୍ୱର ମହାନ ବୈଜ୍ଞାନିକ ଆଇନଷ୍ଟାଇନ୍‌ କହିଥିଲେ, କିଛି ବର୍ଷ ପରେ ଲୋକ ଭୁଲିଯିବେ ଯେ, ମହାତ୍ମା ଗାନ୍ଧି ନାଁରେ ଜଣେ କେହି ଲୋକ ରକ୍ତ-ମାଂସରେ ତିଆରି ହୋଇଥିବା ମଣିଷ ଚଳପ୍ରଚଳ ହେଉଥିଲେ, ମାତ୍ର ତାଙ୍କର କାର୍ଯ୍ୟ, ଚିନ୍ତାଧାରା ଓ ଆଦର୍ଶ ଚିରକାଳ ମନେରହିବ। ମହାତ୍ମା ଗାନ୍ଧୀ ଦେଶ ସ୍ୱାଧୀନତା ପାଇଁ ନିଜର ଜୀବନକୁ ବଳି ଦେଇଥିଲେ। ସେ କେବେ ବି କ୍ଷମତା ଓ ବ୍ୟକ୍ତିଗତ ଲାଭ ପାଇଁ ପଦପଦବି ପାଇଁ ମନ ବଳାଇ ନ ଥିଲେ।

    ସେପଟେ ଆଜି ସମଗ୍ର ଦେଶରେ ପାଳିତ ହେଉଛି ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ