Monday, September 14, 2026
30.3 C
Odisha

    ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌

    ଆଗକୁ ପଢନ୍ତୁ

    ଇନ୍ଦୋର : ଚଳିତ ମହିଳା ବିଶ୍ବକପ୍‌ରେ ଆଜି ଭାରତ ଓ ପୂର୍ବ ଚମ୍ପିଆନ୍‌ ଇଂଲଣ୍ଡ ମଧ୍ୟରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପ୍ରାୟ ସେମିଫାଇନାଲ ସ୍ଥାନ ନିଶ୍ଚିତ କରିବ। ଅଷ୍ଟ୍ରେଲିଆ ୫ଟି ଖେଳି ୯ ପଏଣ୍ଟ ପାଇ ସେମିଫାଇନାଲରେ ପହଞ୍ଚି ସାରିଛି। ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚ୍‌ରୁ ୮ ପଏଣ୍ଟ ପାଇ ସେମିଫାଇନାଲ ଦ୍ବାରରେ ପହଞ୍ଚିଛି। ଆଉ ଗୋଟିଏ ମ୍ୟାଚ୍‌ ଜିତିଲେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଖେଳିବା ନିଶ୍ଚିତ କରିବ। ବାକି ୨ଟି ସ୍ଥାନ ପାଇଁ ୩ଟି ଦାବିଦାର ହେଲେ ଇଂଲଣ୍ଡ, ଭାରତ ଓ ନ୍ୟୁଜିଲାଣ୍ଡ। ଇଂଲଣ୍ଡ ୪ଟି ମ୍ୟାଚ୍‌ରୁ ୭ ପଏଣ୍ଟ ପାଇ ସୁବିଧାଜନକ ସ୍ଥିତିରେ ରହିଛି। ତେବେ ଭାରତ ୪ଟି ମ୍ୟାଚ୍‌ରୁ ମାତ୍ର ୪ ପଏଣ୍ଟ ପାଇଛି। ତେଣୁ ସେମିଫାଇନାଲ ଖେଳିବାକୁ ହେଲେ ଇଂଲଣ୍ଡ ମ୍ୟାଚ୍‌ ସହ ବାକି ୨ଟି ମ୍ୟାଚ୍‌ ମଧ୍ୟ ଜିତିବାକୁ ପଡ଼ିବ।

    ପ୍ରଥମ ୨ଟି ମ୍ୟାଚ୍‌ରେ ଦୁଇ ଏସୀୟ ଦଳ ଶ୍ରୀଲଙ୍କା ଓ ପାକିସ୍ତାନକୁ ହରାଇବା ପରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆଠାରୁ ଭାରତ କ୍ରମାଗତ ୨ଟି ମ୍ୟାଚ୍‌ ହାରିଛି। ଭାରତ ରେକର୍ଡ ୩୩୦ ରନ୍‌ କରିବା ସତ୍ତ୍ବେ ଅଷ୍ଟ୍ରେଲିଆ ଏହାର ପିଛାକରି ଜିତି ପାରିଥିଲା। ଏହି ମ୍ୟାଚ୍‌ରେ ଭାରତର ବୋଲିଂ ଦୁର୍ବଳତା ପଦାରେ ପଡ଼ିଥିଲା। ତେଣୁ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଭାରତ ଅତିରିକ୍ତ ବୋଲର ଖେଳାଇବାକୁ ଯୋଜନା ରଖିଛି। ଚାପରେ ଥିବା ଭାରତ ପେସ୍‌ ବୋଲର ରେଣୁକା ସିଂହଙ୍କୁ ଖେଳାଇପାରେ। ଭାରତୀୟ ଦଳ ପାଖରେ ଅତିରିକ୍ତ ବୋଲର ଭାବେ ବାମହାତି ସ୍ପିନର ରାଧା ଯାଦବ ଓ ପେସ୍‌ ବୋଲର ଅରୁନ୍ଧତି ରେଡ୍‌ଡୀଙ୍କ ପରି ବିକଳ୍ପ ରହିଛନ୍ତି। ପ୍ରଥମ ୩ଟି ମ୍ୟାଚ୍‌ରେ ଭାରତର ଉପର ଅର୍ଡର ବିପଳ ହୋଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଓପ୍‌ନର ସ୍ମୃତି ମାନ୍ଧାନା ଓ ପ୍ରତୀକା ରାୱଲ ଅର୍ଦ୍ଧଶତକ ହାସଲ କରିିଥିଲେ। ହେଲେ ମଧ୍ୟକ୍ରମ ବିଫଳ ହୋଇଥିଲେ। ଫଳରେ ଭାରତ ୩୬ ରନ୍‌ରେ ଶେଷ ୬ଟି ୱିକେଟ୍‌ ହରାଇଥିଲା। ତଳ ଅର୍ଡରରେ ଦୀପ୍ତି ଶର୍ମା ଓ ରିଚା ଘୋଷ ରନ୍‌ କରୁଥିବା ବେଳେ ଅଧିନାୟିକା ହରମନପ୍ରୀତ କୌର ଓ ଜେମିମା ରଡ୍ରିଗ୍ବେଜ୍‌ ଅଦ୍ୟାବଧି ବଡ଼ ରନ୍‌ କରିନାହାନ୍ତି। ଇଂଲଣ୍ଡକୁ ପରାସ୍ତ କରିବାକୁ ହେଲେ ଏହି ଦୁଇ ଜଣଙ୍କୁ ରନ୍‌ କରିବାକୁ ପଡ଼ିବ। ଇନ୍ଦୋର​‌େ​ର ବ୍ୟାଟିଂ ପିଚ୍‌ ଓ ଛୋଟ ବାଉଣ୍ଡରୀ ଥିବାରୁ ଅଧିକ ରନ୍‌ ହେବ। ଅଷ୍ଟ୍ରେଲିଆ ପରେ ଇଂଲଣ୍ଡ ଏପରି ଦଳ; ଯାହା କୌଣସି ମ୍ୟାଚ୍‌ ହାରିନାହିଁ। ପାକିସ୍ତାନ ବିପକ୍ଷ ଏହାର ମ୍ୟାଚ୍‌ ବାତିଲ ହୋଇନଥିଲେ; ଏହା ମଧ୍ୟ ସେମିରେ ସ୍ଥାନ ନିଶ୍ଚିତ କରିଥାଆନ୍ତା। ଇଂଲଣ୍ଡ ପାଇଁ ବ୍ୟାଟିଂରେ ହିଦର ନାଇଟ୍‌, ନାଟ୍‌ ସ୍କିଭର-ବ୍ରଣ୍ଟ, ଚାର୍ଲି ଡିନ୍ ଓ ଟାମି ବ୍ୟୁମଣ୍ଟ ଭଲ ପ୍ରଦର୍ଶନ କରିଛନ୍ତି। ଗତ ମ୍ୟାଚ୍‌ ଖେଳିନଥିବା ବାମହାତି ସ୍ପିନର ସୋଫି ଇକ୍ଲେଷ୍ଟୋନ୍‌ ୮ଟି ୱିକେଟ୍‌ ନେଇଛନ୍ତି। ଭାରତ ବିପକ୍ଷରେ ସେ ଫେରିପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    64 %
    1.9kmh
    17 %
    Mon
    30 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ