ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍ । ସନ୍ଧ୍ୟା ୬ଟାରେ ବସିବ ବୈଠକ। ଆଜିର ବୈଠକରେ ରାଜ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଉପରେ ମୋହର ବାଜିବାକୁ ଯାଉଛି । ୭ଟି ଉର୍ଦ୍ଧ୍ବ ପ୍ରସ୍ତାବ ଆସିବାକୁ ରହିଛି । ସେଥିମଧ୍ୟରେ ନିର୍ମାଣ ବିଭାଗର ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଥିବାବେଳେ ସ୍ବାସ୍ଥ୍ୟ, ଜଳସମ୍ପଦ, ରାଜସ୍ବ ଭଳି ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ରହିଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟସରକାର । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମିଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି ।
ସେହିପରି ଫେବୃୟାରୀ ମାସରେ ବସିଥିବା ରାଜ୍ୟ କ୍ୟାବିନେଟ୍ର ୩୬ତମ ବୈଠକରେ ତିନିଟି ବିଭାଗର ପାଞ୍ଚଟି ପ୍ରସ୍ତାବ ଆଗତ ହୋଇଥିଲା । ସେଥିରୁ ୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା । କ୍ୟାବିନେଟ୍ ବୈଠକରେ ଜଳ ସମ୍ପଦ ଓ ଶ୍ରମ–ESI ବିଭାଗ ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା । ଜଳ ସମ୍ପଦ ବିଭାଗର EPC ଟର୍ନ୍ କି ଆଧାରରେ ୩ଟି ସେଚ୍ଛା ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିଲା । ପ୍ରଥମ ପ୍ରକଳ୍ପ ପାଇଁ ୧୦୫ କୋଟି ୬୨ ଲକ୍ଷ ୬୭ ହଜାର ଟଙ୍କା ବ୍ୟୟ ହେବ । ୫ ବର୍ଷର O&M ପାଇଁ ୫ କୋଟି ୩୧ ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ ହେବ । ସେହିପରି ଶ୍ରମ ଓ ESI ବିଭାଗର “ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସା ସେବା ନିୟମ, ୨୦୨୬” କୁ କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି । ନୂତନ ନିୟମ ଲାଗୁ ହେଲେ ESI ଅଧୀନରେ କାର୍ଯ୍ୟରତ ଚିକିତ୍ସା କର୍ମଚାରୀଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସ୍ପଷ୍ଟ ହେବ ।
