ଆଜି ଲୌହମାନବ ସର୍ଦ୍ଦାର ପଟେଲଙ୍କ ୧୫୧ତମ ଜୟନ୍ତୀ । ସାରା ଦେଶ ପାଳୁଛି ଜାତୀୟ ଏକତା ଦିବସ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶ ପ୍ରତି ତାଙ୍କର ଅବଦାନକୁ ମନେ ପକାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂପୁରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଆଜି ଗୁଜରାଟର ଏକତା ନଗରରେ ଭବ୍ୟ ଆୟୋଜନ, ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଜାତୀୟ ଏକତା ଦିବସ ସମାରୋହର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଧୀନ ଭାରତକୁ ଏକତାର ସୂତ୍ରରେ ବାନ୍ଧିବାରେ ସର୍ଦ୍ଦାର ପଟେଲଙ୍କ ଐତିହାସିକ ଅବଦାନକୁ ଆଜି ମନେ ପକାଉଛି ସମଗ୍ର ଦେଶ । ଏହି ଅବସରରେ ଗୁଜରାଟର ନର୍ମଦା ଜିଲ୍ଲାସ୍ଥିତ ଏକତା ନଗରରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।
ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ଜାତୀୟ ଏକତା ଦିବସ ସମାରୋହର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜାତୀୟ ଏକତାର ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ଏକତା ପରେଡ୍ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନର ଯୋଜନା ରହିଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଭାରତର ଲୌହମାନବ ବୋଲି କୁହାଯାଏ । ୧୮୭୫ ମସିହା ଅକ୍ଟୋବର ୩୧ରେ ଗୁଜରାଟର ନଡିଆଦରେ ତାଙ୍କର ଜନ୍ମ ହୋଇଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଥିଲେ । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ୫୬୦ରୁ ଅଧିକ ଦେଶୀୟ ରାଜ୍ୟକୁ ଭାରତୀୟ ସଂଘରେ ମିଶାଇବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ତାଙ୍କର ଦୃଢ଼ ନେତୃତ୍ୱ ଓ ରାଜନୈତିକ ଦୂରଦୃଷ୍ଟି ଭାରତର ଭୌଗୋଳିକ ଏକତାକୁ ସୁଦୃଢ଼ କରିଥିଲା । ପଟେଲଙ୍କ ଏହି ଅବଦାନକୁ ସମ୍ମାନ ଜଣାଇବା ପାଇଁ ୨୦୧୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୩୧କୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ।
ଏହି ଦିନ ଦେଶବ୍ୟାପୀ ଏକତା ଶପଥ, ରନ୍ ଫର୍ ୟୁନିଟି ଏବଂ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଧର୍ମ, ଭାଷା, ଜାତି ଓ ଅଞ୍ଚଳର ଭିନ୍ନତା ସତ୍ତ୍ୱେ ଦେଶବାସୀଙ୍କ ମଧ୍ୟରେ ଏକତାର ଭାବନାକୁ ମଜଭୁତ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏଥର ଏକତା ନଗରରେ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ସହିତ ଦେଶର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରିବା ପାଇଁ ଭାରତ ପର୍ବର ଆୟୋଜନ କରାଯାଉଛି । ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍ ୟୁନିଟି ଆଜି ସର୍ଦ୍ଦାର ପଟେଲଙ୍କ ଅବଦାନର ଏକ ପ୍ରମୁଖ ସ୍ମାରକୀ । ଜାତୀୟ ଏକତା ଦିବସ ଅବସରରେ ଏହି ସ୍ଥାନରୁ ପୁଣିଥରେ ଦେଶର ଏକତା ଓ ଅଖଣ୍ଡତାର ବାର୍ତ୍ତା ଦିଆଯିବ । ଜାତୀୟ ଏକତା ଦିବସ କେବଳ ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ ପାଳନରେ ସୀମିତ ନୁହେଁ ।
ଏହା ଭାରତର ବିବିଧତା ମଧ୍ୟରେ ଏକତା, ଜାତୀୟ ସଂହତି, ଶାନ୍ତି ଓ ସୁରକ୍ଷା ପ୍ରତି ଦେଶବାସୀଙ୍କ ପ୍ରତିବଦ୍ଧତାକୁ ମନେ ପକାଇଥାଏ । ପଟେଲଙ୍କ ନେତୃତ୍ୱରେ ଦେଶୀୟ ରାଜ୍ୟଗୁଡ଼ିକର ଏକୀକରଣ ଆଧୁନିକ ଭାରତର ଗଠନରେ ଏକ ଐତିହାସିକ ଅଧ୍ୟାୟ । ଚଳିତବର୍ଷ ଜାତୀୟ ଏକତା ଦିବସ ସମାରୋହର ମୁଖ୍ୟ ଥିମ୍ ରହିଛି ‘ବନ୍ଦେ ମାତରମ୍’ । ସନ୍ଧ୍ୟା ସାଢ଼େ ୫ଟାରେ ଏକତା ପରେଡ୍ ଆୟୋଜିତ ହେବ । ଏଥିରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ରାଜ୍ୟ ପୋଲିସ ଓ ବିଭିନ୍ନ ସୁରକ୍ଷା ସଂଗଠନ ଅଂଶଗ୍ରହଣ କରିବେ । ନକ୍ସଲବାଦ ମୁକାବିଲାରେ ସୁରକ୍ଷା ବାହିନୀର ଭୂମିକାକୁ ଏଥର ବିଶେଷ ଗୁରୁତ୍ୱ ଦିଆଯିବ । ପ୍ରାୟ ୨ ହଜାର କଳାକାରଙ୍କୁ ନେଇ ‘ନକ୍ସଲ ମୁକ୍ତ ଭାରତ’ ନାଟ୍ୟ ପରିବେଷଣ ଏବଂ ପ୍ରାୟ ୫ ହଜାର କଳାକାରଙ୍କ ସାଂସ୍କୃତିକ ପ୍ରଦର୍ଶନର କାର୍ଯ୍ୟକ୍ରମ ରହିଛି ।
