ସମ୍ବଲପୁର : ଆଜି ହେଉଛି ପବିତ୍ର ନୂଆଁଖାଇ ପର୍ବ । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଲୋକେ ବହୁତ ଧୁମ ଧାମର ସହ ପାଳନ କରନ୍ତି । ଘରେ ଘରେ ଚାଲିଛି ପିଠାପଣା । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ । ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡ଼ିଛି । ସେହିଭଳି କଣ୍ଟାପାଲି ଜମିଦାରଙ୍କ ଘରୁ ମାଆଙ୍କ ପାଇଁ ସ୍ୱତନ୍ତ୍ର ନୂଆଁଖାଇ ଭାର ଆସିଛି । ଏହାରି ଭିତରେ ମାଆଙ୍କ ଅଳଙ୍କାର ମାର୍ଜଣା ମଧ୍ୟ କରାଯିବ। ସମସ୍ତ ପ୍ରସ୍ତୁତି ସରିଛି । ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ନବାନ୍ନ ଖାଇବେ ପରିବାର ଲୋକେ ।
ସେପଟେ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସଂସ୍କୃତି , ସମୃଦ୍ଧି ଓ ଏକତାର ପ୍ରତୀକ ନୂଆଁଖାଇ ତିହାର । ନୂଆ ଆଶା ନେଇ ଆସିଥିବା ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ । ଏହା ହିଁ ମୁଁ ମାଆ ସମଲେଇଙ୍କ ପାଖରେ ଗୁହାରି କରୁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ଯୋଗଦାନ ପାଇଁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ।