Tuesday, September 29, 2026
23.8 C
Odisha

    ଆତିଶୀଙ୍କୁ ବି ଗିରଫ କରାଯାଇପାରେ: କେଜ୍ରିୱାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍)ର ଅଭିଯାନ ମଧ୍ୟରେ ନାଟକୀୟ ଘଟଣା ଦେଖିବାକୁ ମିଳିଛି। ରାଜଧାନୀର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଞ୍ଜୀବନୀ ଯୋଜନା ପାଇଁ ଶାସକ ଆପ୍‌ର ପଞ୍ଜୀକରଣ ଅଭିଯାନକୁ ବିରୋଧ କରି ନୋଟିସ୍ ଜାରି କରିବା ନେଇ ରାଜନୀତି ସରଗରମ ରହିଛି। ସେହିପରି ରାଜଧାନୀର ମହିଳାମାନଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଥିବା ମହିଳା ସମ୍ମାନ ଯୋଜନାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରତ୍ୟାଖ୍ୟାନ କରିଛି। ଏହାପରେ ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ମହିଳା ସମ୍ମାନ ଯୋଜନା ଓ ସଞ୍ଜୀବନୀ ଯୋଜନା ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଆଗାମୀ କିଛି ଦିନ ମଧ୍ୟରେ ସେମାନେ ଏକ ମିଥ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଗିରଫ କରିପାରନ୍ତି। ଏହା ପୂର୍ବରୁ ଆପ୍‌ର ବରିଷ୍ଠ ନେତାଙ୍କ ଉପରେ ଚଢ଼ଉ କରାଯିବ ବୋଲି ମଧ୍ୟ କେଜ୍ରିୱାଲ ଭବିଷ୍ୟବାଣୀ କରିଛନ୍ତି।
    ଖବରକାଗଜରେ ପ୍ରକାଶିତ ଏକ ସାର୍ବଜନୀନ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବିଭାଗର ଏଭଳି କୌଣସି ପରିକଳ୍ପିତ ସଞ୍ଜୀବନୀ ଯୋଜନା ନାହିଁ। ବୟସ୍କ ନାଗରିକଙ୍କଠାରୁ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବାକୁ ଏହା କାହାକୁ ଅଧିକାର ଦେଇନାହିଁ କି କୌଣସି କାର୍ଡ ପ୍ରଦାନ କରୁନାହିଁ। ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଦଳର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆପ୍ ନେତାମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସଞ୍ଜୀବନୀ ଯୋଜନା ଓ ମହିଳା ସମ୍ମାନ ଯୋଜନା ପାଇଁ ଘରେ ଘରେ ପଞ୍ଜୀକରଣ ଆରମ୍ଭ କରିବା ପରେ ଏହା ଘଟିଛି। ଆପ୍ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସାନ୍ତା କ୍ଲଜ୍ ଅବତାର ରୂପେ ଚିତ୍ରଣ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଜ୍ଞାପନ ଆଣିଛି। ଏଭଳି ବିଭ୍ରାନ୍ତିକର ବିଜ୍ଞାପନକୁ ବିଜେପି କଡ଼ା ସମାଲୋଚନା କରିଛି।
    ମହିଳା ଓ ଶିଶୁ ବିକାଶ ବିଭାଗ କହିଛି ଯେ କୌଣସି ବ୍ୟକ୍ତି କିମ୍ବା ରାଜନୈତିକ ଦଳ ଏହି ଯୋଜନା ନାମରେ ଏଭଳି ଫର୍ମ ସଂଗ୍ରହ କରିବା ଜାଲିଆତି ଓ ସଂପୂର୍ଣ୍ଣ ବେଆଇନ। ବିଜ୍ଞାପନରେ ବିଭାଗ ଲେଖିଛି, ଯଦି କୌଣସି ବ୍ୟକ୍ତି/ସଂସ୍ଥା ଆପଣଙ୍କୁ ଫୋନ୍ କରନ୍ତି କିମ୍ବା ଏକ ଅସ୍ତିତ୍ୱହୀନ ଯୋଜନା ଅଧୀନରେ ମାଗଣା ଚିକିତ୍ସାର ଲାଭ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ଆପଣଙ୍କ ପାଖକୁ ଆସନ୍ତି କିମ୍ବା ଏ ସମ୍ପର୍କରେ ଆପଣଙ୍କୁ କିଛି ‘ସ୍ୱାସ୍ଥ୍ୟ/ସଞ୍ଜୀବନୀ ଯୋଜନା କାର୍ଡ’ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି, ତେବେ ସେମାନଙ୍କ କଥାକୁ ବିଶ୍ବାସ କରନ୍ତୁ ନାହିଁ। ଏହି ଯୋଜନା ଅଧୀନରେ ସୁବିଧା ପ୍ରଦାନ କରିବାକୁ ଦାବି କରୁଥିବା କୌଣସି ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରନ୍ତୁ ନାହିଁ। ଏଭଳି ଅସାଧୁ କାର୍ଯ୍ୟକଳାପ ବା ଠକେଇ ପାଇଁ ବିଭାଗ ଦାୟୀ ରହିବ ନାହିଁ ବୋଲି କହିଛି।

    ଆପ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜୀବନୀ ଯୋଜନା ପାଇଁ ଏପର୍ଯ୍ୟନ୍ତ ଦେଢ଼ ଲକ୍ଷ ଏବଂ ମହିଳା ସମ୍ମାନ ଯୋଜନା ପାଇଁ ୧୩ ଲକ୍ଷ ମହିଳା ପଞ୍ଜୀକୃତ ହୋଇଛନ୍ତି। ୩,୦୦୦ ଆପ୍ କର୍ମୀଙ୍କୁ ନେଇ ଗଠିତ ଏକ ଟିମ୍ ଦୈନିକ ୫ ଲକ୍ଷ ପଞ୍ଜୀକରଣ ଲକ୍ଷ୍ୟ ନେଇ ଘରଘର ବୁଲି ପଞ୍ଜୀକରଣ କରୁଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ କହିଛନ୍ତି ଯେ ଡିଜିଟାଲ ଠକମାନେ ଯାହା କରୁଛନ୍ତି ତାହା ଦିଲ୍ଲୀ ସରକାର କରିବା ନିନ୍ଦନୀୟ। ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ୧୦ ବର୍ଷ କ୍ଷମତାରେ ରହିବା ପରେ ନକଲି ଯୋଜନା ଚଳାଇଛନ୍ତି। ଦିଲ୍ଲୀର ନିର୍ବାଚିତ ସରକାର ଓ କେନ୍ଦ୍ର ମଧ୍ୟରେ କ୍ଷମତା ବିବାଦ ପରିପ୍ରେକ୍ଷୀରେ ବିଭାଗଗୁଡ଼ିକର ଏହି ନୋଟିସ୍ ଜାରି କରାଯାଇଛି। ଦିଲ୍ଲୀର ସମସ୍ତ ବିଭାଗର ପ୍ରମୁଖ ସଚିବ କେନ୍ଦ୍ର ସରକାରଙ୍କ ନିଯୁକ୍ତ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରନ୍ତି। ଏହାର ଅର୍ଥ ହେଉଛି ଦିଲ୍ଲୀ ଅଧିକାରୀଙ୍କ ଉପରେ ଆପ୍ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ