କେତେ ବର୍ଷରେ ଏକ୍ସପାୟାର ହୁଏ ହେଲମେଟ୍?
ଯେକୌଣସି ହେଲମେଟକୁ ବ୍ୟବହାର ଆରମ୍ଭ କରିବାର ୩ରୁ ୫ ବର୍ଷ ମଧ୍ୟରେ ବଦଳାଇ ଦେବା ଉଚିତ। ଭାରତରେ ବିଆଇଏସ୍ (BIS) ଦ୍ୱାରା ପ୍ରମାଣିତ ‘ଆଇଏସ୍ଆଇ’ (ISI) ମାର୍କ ଥିବା ହେଲମେଟ୍ ଉପରେ ଆଇନଗତ ଭାବେ କୌଣସି ଏକ୍ସପାୟାରୀ ତାରିଖ ଲେଖାଯାଇ ନଥାଏ, କିନ୍ତୁ ଏଥିରେ ବ୍ୟବହୃତ ସାମଗ୍ରୀର ଏକ ନିର୍ଦ୍ଦିଷ୍ଟ ଆୟୁଷ ରହିଛି। ଯଦି ଆପଣ ପ୍ରତିଦିନ ଦୀର୍ଘ ଦୂରତା ପର୍ଯ୍ୟନ୍ତ ବାଇକ୍ ଚଳାଉଛନ୍ତି, ତେବେ ଝାଳ, ଧୂଳି ଏବଂ ଖରା ଯୋଗୁଁ ଆପଣଙ୍କ ହେଲମେଟ୍ ୨ରୁ ୩ ବର୍ଷ ମଧ୍ୟରେ ହିଁ ନିଜର ସୁରକ୍ଷା କ୍ଷମତା ହରାଇ ବସିଥାଏ।

ଭିତରୁ କିପରି ଦୁର୍ବଳ ହୁଏ ହେଲମେଟ୍?
ହେଲମେଟ୍‌ର ବାହାର କଠିନ ଆବରଣ ଠିକ୍ ତଳେ ଥର୍ମୋକୋଲ୍ ଭଳି ଦିଶୁଥିବା ଏକ ସ୍ୱତନ୍ତ୍ର ଧଳା ସୁରକ୍ଷାାତ୍ମକ ଫୋମ୍ ଲାଗିଥାଏ, ଯାହାକୁ ବୈଷୟିକ ଭାଷାରେ ‘ଇପିଏସ୍ ଲାଇନର୍’ (EPS Liner) କୁହାଯାଏ। ଦୁର୍ଘଟଣା ସମୟରେ ମୁଣ୍ଡରେ ଲାଗୁଥିବା ଜୋରଦାର ଧକ୍କାକୁ ଏହି ସ୍ତର ହିଁ ଶୋଷି ନେଇଥାଏ। ସମୟ କ୍ରମେ ମଣିଷର ଝାଳରେ ଥିବା ଏସିଡ୍, ଚୁଟିର ତେଲ, ସୂର୍ଯ୍ୟଙ୍କର ପ୍ରଖର ଅତିବାଇଗଣି ରଶ୍ମି ଏବଂ ପାଣିପାଗର ଆର୍ଦ୍ରତା ଯୋଗୁଁ ଏହି ଫୋମ୍ କଠିନ ହୋଇଯାଏ। ଫଳରେ ବାହାରୁ ସମ୍ପୂର୍ଣ୍ଣ ନୂଆ ଓ ଚକଚକ୍ ଦିଶୁଥିବା ପୁରୁଣା ହେଲମେଟ୍ ମଧ୍ୟ ଦୁର୍ଘଟଣା ବେଳେ ଆଘାତ ସହ୍ୟ କରିବାରେ ବିଫଳ ହୁଏ।

ବ୍ୟବହାର ନହୋଇ ରଖାଯାଇଥିଲେ ବି ଖରାପ ହୁଏ
ଅନେକ ଲୋକ ଭାବନ୍ତି ଯେ ଘରେ ବାକ୍ସ ଭିତରେ ସୁରକ୍ଷିତ ଭାବେ ରଖାଯାଇଥିବା ନୂଆ ହେଲମେଟ୍ ବର୍ଷ ବର୍ଷ ଧରି ନୂଆ ରହିଥାଏ। କିନ୍ତୁ ନିର୍ମାତାଙ୍କ ନିୟମ ଅନୁଯାୟୀ, ବ୍ୟବହାର ନହୋଇ ରଖାଯାଇଥିବା ହେଲମେଟ୍‌ର ମଧ୍ୟ ଉତ୍ପାଦନ ତାରିଖ ଠାରୁ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ‘ସେଲ୍ଫ ଲାଇଫ୍’ ରହିଥାଏ। ପବନର ଆର୍ଦ୍ରତା ଓ ତାପମାତ୍ରା ପରିବର୍ତ୍ତନ ଯୋଗୁଁ ରଖାଯାଇଥିବା ହେଲମେଟ୍‌ର ଭିତର ପ୍ୟାଡ୍ ଏବଂ ଅଠା ମଧ୍ୟ ଦୁର୍ବଳ ହୋଇଯାଏ। ହେଲମେଟ୍‌ର ଫିତାରେ ଲାଗିଥିବା ଲେବଲ୍ ତଳେ ଥିବା ଷ୍ଟିକରରୁ ଏହାର ଉତ୍ପାଦନ ତାରିଖ ଜଣାପଡ଼ିଥାଏ।

କେଉଁ ସଙ୍କେତ ଦେଖିଲେ ତୁରନ୍ତ ବଦଳାଇବେ ହେଲମେଟ୍?
ଯଦି ଆପଣଙ୍କ ହେଲମେଟ୍ କେବେ କୌଣସି ଦୁର୍ଘଟଣାର ଶିକାର ହୋଇଛି କିମ୍ବା ହାତରୁ ଖସି ପକ୍କା ଚଟାଣରେ ଜୋରରେ ପଡ଼ିଛି, ତେବେ ୫ ବର୍ଷ ପୂରଣ ହେବା ପୂର୍ବରୁ ହିଁ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। କାରଣ ଥରେ ଧକ୍କା ଶୋଷିବା ପରେ ଇପିଏସ୍ ଫୋମ୍ ଭିତରୁ ଦବିଯାଏ ଏବଂ ଦ୍ୱିତୀୟ ଥର ସୁରକ୍ଷା ଦେଇପାରେ ନାହିଁ। ହେଲମେଟ୍ ମୁଣ୍ଡରେ ଢିଲା ହୋଇଗଲେ, ଦ୍ରୁତ ପବନରେ ହଲିଲେ କିମ୍ବା ଏହାର ଷ୍ଟ୍ରାପ୍ (ଫିତା) ଖରାପ ହୋଇଗଲେ ବିଳମ୍ବ ନକରି ଏକ ନୂଆ ISI ପ୍ରମାଣିତ ହେଲମେଟ୍ କିଣିବା ଆବଶ୍ୟକ।