ଆମେରିକା : ଆମେରିକାରେ ଇସ୍କନର ୬୦ତମ ଅଦିନିଆ ରଥଯାତ୍ରା । ତିଥି ବାହାରେ ଆୟୋଜନକୁ ନେଇ ଜଗନ୍ନାଥପ୍ରେମୀଙ୍କ ତୀବ୍ର ଅସନ୍ତୋଷ । ପାରମ୍ପରିକ ତିଥି ବାହାରେ ବିଦେଶର ବିଭିନ୍ନ ସହରରେ ଇସ୍କନ୍ ପକ୍ଷରୁ ରଥଯାତ୍ରା ଆୟୋଜନକୁ ନେଇ ପୁଣି ବିବାଦ ତେଜିଛି । ଗତ ୨୨ ଓ ୨୩ ତାରିଖରେ ଆମେରିକା, କାନାଡା, ଜର୍ମାନୀ ଓ ନରୱେର ବିଭିନ୍ନ ସହରରେ ରଥଯାତ୍ରା ଆୟୋଜନ ହୋଇଥିବା ବେଳେ ଏହାକୁ ନେଇ ଜଗନ୍ନାଥପ୍ରେମୀ ତୀବ୍ର ଆପତ୍ତି ଉଠାଇଛନ୍ତି । ୨୩ ତାରିଖରେ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ସାନ୍ ଫ୍ରାନସିସ୍କୋରେ ଇସ୍କନର ରଥଯାତ୍ରାର ୬୦ତମ ବର୍ଷ ପାଳନ କରାଯାଇଥିଲା । ବିରୋଧ କରୁଥିବା ଜଗନ୍ନାଥପ୍ରେମୀଙ୍କ ଦାବି ଅନୁସାରେ, ଇସ୍କନ୍ ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦ ୬୦ ବର୍ଷ ପୂର୍ବେ ସାନ୍ ଫ୍ରାନସିସ୍କୋରେ ଶାସ୍ତ୍ରୀୟ ତିଥି ଅନୁସାରେ ରଥଯାତ୍ରା କରିଥିଲେ । ତେଣୁ ବର୍ତ୍ତମାନ ତିଥି ବାହାରେ ଏହାର ଆୟୋଜନ ପରମ୍ପରା ଓ ଶାସ୍ତ୍ରୀୟ ବିଧିର ପରିପନ୍ଥୀ ବୋଲି ସେମାନେ ଅଭିଯୋଗ କରିଛନ୍ତି । କେବଳ ସାନ୍ ଫ୍ରାନସିସ୍କୋ ନୁହେଁ, ୨୨ ତାରିଖରେ କାନାଡାର ବର୍ଲିଙ୍ଗଟନ୍ ଓ ଜର୍ମାନୀର ଲାଇପଜିଗରେ ଏବଂ ୨୩ ତାରିଖରେ ନରୱେର ଓସ୍ଲୋରେ ମଧ୍ୟ ରଥଯାତ୍ରା ଆୟୋଜିତ ହୋଇଥିବା ଦାବି କରାଯାଇଛି । ଏଭଳି ଆୟୋଜନ ଶ୍ରୀଜଗନ୍ନାଥ ସଂସ୍କୃତିର ପାରମ୍ପରିକ ତିଥି ଓ ବିଧିକୁ ଅଣଦେଖା କରୁଛି ବୋଲି ବିରୋଧକାରୀମାନେ କହିଛନ୍ତି ।
ଏହାକୁ ବନ୍ଦ କରିବା ଦାବିରେ ଆମେରିକାରେ ରହୁଥିବା ଶତାଧିକ ଓଡ଼ିଆଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ମଧ୍ୟ ପଠାଯାଇଥିଲା । ଜଗନ୍ନାଥ କଲଚରାଲ୍ ଆଣ୍ଡ ଏଜୁକେଶନାଲ୍ ସେଣ୍ଟର, ସାନ୍ ଜୋସ୍ ର ସଭାପତି ଡ. ସୂର୍ଯ୍ୟ ପଟ୍ଟନାୟକଙ୍କ ପକ୍ଷରୁ ଗତ ଜୁଲାଇ ୨୦ରେ ଇସ୍କନ୍ ବର୍କେଲେ ମନ୍ଦିରର ସଭାପତି ଜଗନ୍ନାଥ ସ୍ୱାମୀ ଦାସଙ୍କୁ ଇ-ମେଲ୍ ଜରିଆରେ ଏହି ଦାବିପତ୍ର ପଠାଯାଇଥିବା କୁହାଯାଇଛି । ଏହା ସତ୍ତ୍ୱେ ରଥଯାତ୍ରା ଆୟୋଜନ ହୋଇଥିବାରୁ ଅସନ୍ତୋଷ ଆହୁରି ବଢ଼ିଛି । ପୂର୍ବରୁ ଦିଲ୍ଲୀର ଏକ ଓଡ଼ିଆ ସଂଗଠନ ପକ୍ଷରୁ ମଧ୍ୟ ଏକ ହଜାରରୁ ଅଧିକ ଓଡ଼ିଆଙ୍କ ସ୍ୱାକ୍ଷର ସମ୍ବଳିତ ଅନୁରୋଧପତ୍ର ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା କୁହାଯାଇଛି । ଏବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ହସ୍ତକ୍ଷେପ କରନ୍ତୁ ବୋଲି ଜଗନ୍ନାଥପ୍ରେମୀମାନେ ଦାବି କରିଛନ୍ତି । ସେମାନଙ୍କ ଯୁକ୍ତି , ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ରୀୟ ତିଥି ଓ ପରମ୍ପରା ସହ ଜଡ଼ିତ । ତେଣୁ ସୁବିଧା ଅନୁସାରେ ବର୍ଷର ଅନ୍ୟ ସମୟରେ ରଥଯାତ୍ରା କିମ୍ବା ସ୍ନାନଯାତ୍ରା ଆୟୋଜନ ନକରି ପାରମ୍ପରିକ ବିଧିକୁ ସମ୍ମାନ ଦିଆଯାଉ । ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ ଇସ୍କନ୍ ସହ ଆଲୋଚନା କରି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
