ଖରାଦିନ ଆସିବା ମାତ୍ରେ ସମସ୍ତେ ଆଇସକ୍ରିମ ଖାଇବା ଆରମ୍ଭ କରିଦେଇଥାଆନ୍ତି । ପିଲାଙ୍କଠାରୁ ଆରମ୍ଭ କରି ବଡ଼ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଇସକ୍ରିମ ଖାଇବାକୁ ବେଶ୍ ଭଲ ପାଇଥାଆନ୍ତି । ଚକଲେଟ୍ ପରି ଆଇସ୍କ୍ରିମ୍ ମଧ୍ୟ ସମସ୍ତଙ୍କ ଖୁବ୍ ପ୍ରିୟ ହୋଇଥାଏ । ଖାସ୍ କରି ଖରାଦିନେ ଅଧିକାଂଶ ଲୋକଙ୍କ ଘରେ ଫ୍ରିଜରେ ଆଇସକ୍ରିମ ଷ୍ଟୋର୍ କରି ରଖିଥାଆନ୍ତି । ବାହାଘର କିମ୍ବା ଯେକୌଣସି ଫଙ୍କସନରେ ମଧ୍ୟ ଆଇସକ୍ରିମ ଅର୍ଡର କରାଯାଇଥାଏ । ଏହା ପାଟିକୁ ସ୍ବାଦ ଦେଇଥାଏ ସତ କିନ୍ତୁ ଏହା ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।
ସୁସ୍ଥ ଶରୀର ପାଇଁ ଚାହୁଁଥିଲେ ପ୍ରଥମେ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ଯାହା ଆମକୁ ଅନେକ ରୋଗରୁ ମୁକ୍ତି ଦେଉଥିବାବେଳେ ଖରାପ ଖାଦ୍ୟପେୟ କ୍ଷତି ପହଞ୍ଚାଇଥାଏ । ତେଣୁ ସୁସ୍ଥ ଶରୀର ଗଠନ ପାଇଁ କିଛି ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେହି ସବୁ ମଧ୍ୟରୁ ଆଇସ୍କରିମ୍ ହେଉଛି ଅନ୍ୟତମ । ଯାହା ଆମ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଆଇସ୍କ୍ରିମ୍ ଖାଇବାର କ୍ଷତି ସମ୍ପର୍କରେ ଜଣାଇବୁ ।
ଓଜନ ବୃଦ୍ଧି କରେ : ଆଇସକ୍ରିମରେ ଚିନି ଏବଂ କ୍ୟାଲୋରି ଅଧିକ ଥାଏ । ଯାହା ଅନେକ ଦିନରୁ ପ୍ରମାଣିତ ହୋଇ ଆସୁଅଛି । ଏଥିରେ ଅଧିକ ମାତ୍ରାରେ ଚିନି ଏବଂ କ୍ୟାଲୋରୀ ଥିବାରୁ ଏହା ଦ୍ରୁତ ଗତିରେ ଶରୀରର ଚର୍ବି ବୃଦ୍ଧି କରେ । ଯାହା ମେଦବହୁଳତା ଏବଂ ଅନ୍ୟାନ୍ୟ ଅନେକ ରୋଗର ଆଶଙ୍କା ସୃଷ୍ଟି କରେ । ପ୍ରତିଦିନ ୩ ରୁ ୪ଟି ଆଇସ୍କ୍ରିମ୍ ଖାଇବା ଦ୍ବାରା ଶରୀରରେ ୧୦୦୦ରୁ ଅଧିକ କ୍ୟାଲୋରୀ ବୃଦ୍ଧି ପାଇଥାଏ । ଯାହା ପରବର୍ତ୍ତୀ ସମୟରେ ବଡ଼ ବିପଦ ସୃଷ୍ଟି କରିପାରେ ।
ହାର୍ଟ ରୋଗର ଆଶଙ୍କା ବଢାଏ : ଆଇସକ୍ରିମରେ ସାଚୁରେଟେଡ୍ ଫ୍ୟାଟ୍ ଥାଏ । ଯାହା ଶରୀରର ଟ୍ରାଇଗ୍ଲିସେରାଇଡ୍ ଏବଂ କୋଲେଷ୍ଟ୍ରଲ୍ ସ୍ତରକୁ ବୃଦ୍ଧି କରିଥାଏ । ଏହା ବ୍ୟତୀତ ବୃଦ୍ଧି ପାଇଥିବା କୋଲେଷ୍ଟ୍ରଲ୍ ହାର୍ଟ ରୋଗର ଆଶଙ୍କାକୁ ବଢାଇ ଦେଇଥାଏ । ଏଥିସହ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଆଇସ୍କ୍ରିମ୍ ବହୁତ ଅହିତକର ହୋଇଥାଏ । ଯାହା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ି ଦେଇପାରେ । ତେଣୁ ବିଶେଷ କରି ଏହି ରୋଗୀମାନେ ଆଇସ୍କ୍ରିମ୍ ଖାଇବାଠାରୁ ଦୂରେଇ ରୁହନ୍ତୁ ।
ମସ୍ତିଷ୍କ ଉପରେ ପ୍ରଭାବ ପକାଏ : ଆଇସକ୍ରିମରେ ସାଚୁରେଟେଡ୍ ଫ୍ୟାଟ୍ ଏବଂ ଚିନି ଅଧିକ ଥାଏ । ଫଳରେ ମସ୍ତିଷ୍କର କାର୍ଯ୍ୟକୁ ପ୍ରଭାବିତ କରେ ଏବଂ ସ୍ମୃତି ଶକ୍ତିକୁ ଦୁର୍ବଳ କରିଦେଇଥାଏ । ତେଣୁ ସୀମିତ ପରିମାଣରେ ଆଇସକ୍ରିମ ଖାଆନ୍ତୁ ।
ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ : ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ଆଇସକ୍ରିମ୍ । ଯାହା ଆପଣଙ୍କୁ ଅନେକ ସମସ୍ୟାରେ ପକାଇବ । ଜେନେଟିକ୍ ରୋଗୀଙ୍କ ପାଇଁ ମଧ୍ୟ ଏହା କ୍ଷତିକାରକ ହୋଇଥାଏ । ଏହି ସବୁ ରୋଗୀମାନେ ଆଇସକ୍ରିମ୍ ଖାଇବା ଆଦୌ ଉଚିତ୍ ନୁହେଁ । ସଚେତନ ରହିବା ଦ୍ବାରା ଅନେକ ସମସ୍ୟାକୁ ରୋକାଯାଇପାରିବ ।
