Saturday, August 22, 2026
25.1 C
Odisha

    ଇସ୍କନ୍‌ ଚିଠି ଜବାବରେ ପୁଣି ଅସନ୍ତୋଷ ଝାଡ଼ିଲେ ଗଜପତି: ଅତିଥିରେ ରଥଯାତ୍ରା ଗ୍ରହଣୀୟ ନୁହେଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ସ୍ନାନଯାତ୍ରା ତିଥି ମାନିବୁ। ସାରା ବିଶ୍ବରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଆୟୋଜନ କରିବୁ। କିନ୍ତୁ ରଥଯାତ୍ରା ତିଥି ଅନୁସାରେ ପାଳନ କରିପାରିବୁନି। ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟ ତିଥିରେ ରଥଯାତ୍ରା ଆୟୋଜନ ମତରେ ଆମେ ସହମତ ନୋହୁଁ। ଗତ ଅକ୍ଟୋବର ୧୯ ତାରିଖରେ ପୁରୀଗଜପତି ମହରାଜା ଦିବ୍ୟସିଂହ ଦେବଙ୍କୁ ଏଭଳି ଢଙ୍ଗରେ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗସ୍ଥିତ ମାୟାପୁର ଇସ୍କନ୍ ଗଭର୍ଣ୍ଣିଂ ବଡ଼ି କମିସନ୍ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ। ଯାହାକୁ ନେଇ ଗଜପତି ମହାରାଜା ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି। ପୁଣି ଥରେ ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ଚିଠି ଲେଖି ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିଠାରୁ ୯ ଦିନ ଭିତରେ ସୁବିଧା ଅନୁସାରେ ରଥଯାତ୍ରା ଆୟୋଜନ ପାଇଁ କହିଛନ୍ତି। ଏହା ବ୍ୟତିରେକ ଅନ୍ୟ କୌଣସି ଦିନ ରଥଯାତ୍ରା ଆଦୌ ଗ୍ରହଣୀୟ ନୁହେଁ। ଅତିଥିରେ ରଥଯାତ୍ରା ଆୟୋଜନକୁ ସନାତନ ଧର୍ମର ଶ୍ରେଷ୍ଠ ଗୁରୁ ଗୋବର୍ଦ୍ଧନ ମଠ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ବି ଦୃଢ଼ ବିରୋଧ କରିଛନ୍ତି ବୋଲି ଗଜପତି ଚିଠିରେ କହିଛନ୍ତି। ବର୍ଷ ବର୍ଷ ଧରି ଇସ୍କନ୍ ଅତିଥିରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରି ଶ୍ରୀଜଗନ୍ନାପ୍ରେମୀଙ୍କ ଭକ୍ତିଭାବ ପ୍ରତି କୁଠାରାଘାତ କରି ଆସୁଛି। ଏ ସଂପର୍କରେ ଶେଷଥର ଗତ ସେପ୍ଟେମ୍ବର ୬ ତାରିଖରେ ଗଜପତି ମାୟାପୁର ଇସ୍କନ୍ ଗଭର୍ଣ୍ଣିଂ ବଡି କମିସନ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ମୂଳପୀଠ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଓ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏଣୁ ଏହି ତିଥିରେ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ ପାଇଁ ନିବେଦନ କରିଥିଲେ। ଚିଠି ସହ ୧୦୦ ପୃଷ୍ଠା ସମ୍ବଳିତ ଶାସ୍ତ୍ରାନୁମୋଦିତ ତଥ୍ୟ ଓ ପ୍ରମାଣ ବି ପଠାଇଥିଲେ। ହେଲେ ଉତ୍ତର ଦେଇ ଶ୍ରୀ ଦାସ ସ୍ନାନଯାତ୍ରା ତିଥି ଅନୁସାରେ ପାଳନ ନେଇ ସହମତି ଦେଇଥିବା ବେଳେ ରଥଯାତ୍ରା ପାଇଁ ଅସହମତି ପ୍ରକାଶ କରିଛନ୍ତି।

    ଏହି ଚିଠିର ଜବାବରେ ଗଜପତି ପୁଣି ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ତିଥି ଅନୁସାରେ ଆୟୋଜନ ନିଷ୍ପତ୍ତି ସ୍ବାଗତଯୋଗ୍ୟ। କିନ୍ତୁ ଦେଶ ବାହାରେ ବର୍ଷସାରା ଭିନ୍ନ ଭିନ୍ନ ଦିନରେ ରଥଯାତ୍ରା ଆୟୋଜନ ନିଷ୍ପତ୍ତି ଗଭୀର ଆଘାତ ଦେଇଛି ଓ ନିରାଶ କରିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଖୋଲା ଉଲ୍ଲଂଘନ। କାହିଁକି ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ଆୟୋଜନ ହୋଇଆସୁଛି, ଗତ ସେପ୍ଟେମ୍ବର ୬ ତାରିଖ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲି ଓ ଏହା ଚୂଡ଼ାନ୍ତ ନିଷ୍ପତ୍ତି ଥିଲା। ଗଜପତି କହିଛନ୍ତି, ସାପ୍ତାହିକ ଛୁଟିଦିନରେ ରଥଯାତ୍ରା ଆୟୋଜନ ପାଇଁ ଇସ୍କନ୍ ମତ ଗ୍ରହଣଯୋଗ୍ୟ। କିନ୍ତୁ ଆଷାଢ଼ ଶୁକ୍ଳ ଦ୍ବିତୀୟାଠାରୁ ୯ ଦିନ ଭିତରେ ଏହା ଆୟୋଜନ ହୋଇପାରିବ। ବିଶ୍ବରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ରଥଯାତ୍ରାର ପ୍ରଚାରପ୍ରସାର କେବଳ ଇସ୍କନ୍ କାର୍ଯ୍ୟକ୍ରମ ପରିସରଭୁକ୍ତ ନୁହେଁ। ଏହାବାଦ୍ ହରିନାମ ସଂକୀର୍ତ୍ତନ, ପୁସ୍ତକ ବଣ୍ଟନ ସହ ଅନ୍ୟ କାର୍ଯ୍ୟକ୍ରମ ବି ଇସ୍କନ୍ କରି ଆସୁଛନ୍ତି। ଏଣୁ ନିଜର ସ୍ବାର୍ଥ ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ଭାଙ୍ଗିବା ଲାଗି ଇସ୍କନ୍‌କୁ କେହି ଅଧିକାର ଦେଇନାହାନ୍ତି।

    ଇସ୍କନ୍ ନିଜ ମନ୍ଦିରରେ ପ୍ରତିଷ୍ଠା କରିଥିବା ଉତ୍ସବ ବିଗ୍ରହଙ୍କୁ ବାହାରକୁ ଆଣି ଅତିଥିରେ ରଥଯାତ୍ରା କରୁଛନ୍ତି। ଏଣୁ ଜନସାଧାରଣଙ୍କ ମନରେ ଦ୍ବନ୍ଦ୍ବ ଦୂର ପାଇଁ ଇସ୍କନ୍ ନିଜ ଯାତ୍ରାକୁ ରଥଯାତ୍ରା ନାମକରଣ ନ କରୁ ଓ ଶ୍ରୀଜଗନ୍ନାଥଙ୍କ ରଥ ଭଳି ରଥ ନ କରୁ। ଗତ ସେପ୍ଟେମ୍ବର ୨ରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତିନିଧିତ୍ବ କରୁଥିବା ଶାସ୍ତ୍ରଜ୍ଞ ଓ ଗବେଷକ ବିସ୍ତୃତ ଅନୁଶୀଳନ ପରେ ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ତିଥି ସଂପର୍କିତ ଶାସ୍ତ୍ର ଅନୁମୋଦିତ ତଥ୍ୟ ପ୍ରମାଣ ପ୍ରଦାନ କରିଛନ୍ତି। ଚତୁର୍ଦ୍ଧା ଦାରୁ ବିଗ୍ରହ ହେଉଛନ୍ତି ମୂଳ ବିଗ୍ରହ, ସେ ଉତ୍ସବ ବିଗ୍ରହ ନୁହନ୍ତି। ଏହି ମତକୁ ଇସ୍କନ୍ ବୋର୍ଡ ବି ଗ୍ରହଣ କରିଛନ୍ତି। ଚତୁର୍ଦ୍ଧା ବିଗ୍ରହ କେବଳ ବର୍ଷର ଦୁଇଦିନ, ସ୍ନାନଯାତ୍ରା ଓ ରଥଯାତ୍ରାରେ ରତ୍ନବେଦିରୁ ତଳକୁ ଓହ୍ଲାଇଥା’ନ୍ତି। ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ଏକଥା ପବିତ୍ର ଧର୍ମଗ୍ରନ୍ଥମାନଙ୍କରେ ଉଲ୍ଲେଖ ରହିଛି। ନବଦିନାତ୍ମକ ରଥଯାତ୍ରା ସ୍ବୟଂ ଭଗବାନ ନିଜେ ଘୋଷଣା କରିଛନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ଏଣୁ ଅତିଥିରେ ରଥଯାତ୍ରା ଆୟୋଜନ ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦେଶକୁ ଅବମାନନା ଓ ସମପରି ସ୍ବୟଂ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଦେଶକୁ ଅବମାନନା। ଯେହେତୁ ଇସ୍କନ୍ ସନାତନ ଧର୍ମ ଆଧାରରେ ପ୍ରତିଷ୍ଠା ଲାଭ କରିଛି, ଏଣୁ ସନାତନ ଧର୍ମର ପବିତ୍ର ଧର୍ମଗ୍ରନ୍ଥର ଅନୁପାଳନ ଓ ସମ୍ମାନ ଜଣାଇବା ଉଚିତ ବୋଲି ଗଜପତି ମହାରାଜା ଚିଠିରେ ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    93 %
    1.4kmh
    100 %
    Sat
    25 °
    Sun
    28 °
    Mon
    28 °
    Tue
    28 °
    Wed
    29 °

    ସମ୍ବନ୍ଧିତ