Friday, September 18, 2026
29.7 C
Odisha

    ଇସ୍ତଫା ଦେଲେ ଉପରାଷ୍ଟ୍ରପତି: ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଓହରିଗଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ହଠାତ୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଏବଂ ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେଇ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନର ଧାରା ୬୭(କ) ଅନୁସାରେ ସେ ଇସ୍ତଫା ଦେଇଛନ୍ତି। ତେଣୁ ତାଙ୍କ ଇସ୍ତଫା ତତ୍କାଳ କାର୍ଯ୍ୟକାରୀ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଧନଖଡ଼ ପଠାଇଥିବା ଇସ୍ତଫାପତ୍ରରେ ତାଙ୍କର ଅକୁଣ୍ଠ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମର୍ଥନକୁ ସେ ଅମୂଲ୍ୟ ବୋଲି ଦର୍ଶାଇଛନ୍ତି। ସଂସଦର ମାନ୍ୟବର ସଦସ୍ୟମାନଙ୍କ ପକ୍ଷରୁ ମୋତେ ଯେଉଁ ଭଲପାଇବା ମିଳିଛି ତାହା ସବୁଦିନ ପାଇଁ ମନେ ରହିବ। ୨୦୨୨ ମସିହା ଅଗଷ୍ଟ ୧୧ରୁ ‌ଧନଖଡ଼ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ୧୯୯୦ରୁ ୧୯୯୧ ମଧ୍ୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ରାଜସ୍ଥାନ ବିଧାନସଭାରେ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୭୯ରେ ଆଇନଜୀବୀ ଭାବେ ସେ ରାଜସ୍ଥାନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଉପରାଷ୍ଟ୍ରପତି ଧନଖଡ଼ଙ୍କ ବିରୋଧରେ ୨୦୨୪ ଡିସେମ୍ବର ୧୦ରେ ଇଣ୍ଡି ମେଣ୍ଟ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିଲା। କିନ୍ତୁ ୧୪ ଦିନର ବାଧ୍ୟତାମୂଳକ ନୋଟିସ୍‌ ଅବଧି ପୂରଣ ନକରିବା କାରଣରୁ ‌ସେହି ନୋଟିସ୍‌ ଅକାମୀ ହୋଇଯାଇଥିଲା। ଉପରାଷ୍ଟ୍ରପତିଭାବେ ‌ତାଙ୍କର କାର୍ଯ୍ୟକାଳ ୩ ବର୍ଷ ପୂରଣ ହେବାକୁ ଆଉ ଅଳ୍ପଦିନ ବାକି ରହିଛି। ଏହା ପୂର୍ବରୁ ତାଙ୍କର ଇସ୍ତଫା ରାଜନେତା ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ବିସ୍ମିତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    70 %
    1.4kmh
    91 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ