Friday, April 3, 2026
36.1 C
Odisha

    ଉଡ଼ାଣ, ଅବତରଣ ବେଳେ ବନ୍ଦ ରହିବ ବିମାନ ଝରକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ପଶ୍ଚିମ ସୀମା ନିକଟବର୍ତ୍ତୀ ବାୟୁସେନା ଘାଟିରେ ଉଡ଼ାଣ ଏବଂ ଅବତରଣ ସମୟରେ ବିମାନର ଝରକା ବନ୍ଦ ରଖିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ବାଣିଜ୍ୟିକ ବିମାନ କମ୍ପାନୀ, ଚାର୍ଟର ଏବଂ ଘରୋଇ ଜେଟ୍ ପରିଚାଳକଙ୍କୁ ନିର୍ଦେଶ ଦେଇଛି। ପରିଚାଳନା ସୁରକ୍ଷା ବୃଦ୍ଧି କରିବା ଓ ସାଧାରଣ ନାଗରିକ କିମ୍ବା ବିମାନ କର୍ମଚାରୀଙ୍କ ଦ୍ବାରା ଅଜାଣତରେ ସୁରକ୍ଷା ସମ୍ବନ୍ଧୀୟ ସୂଚନାକୁ ପ୍ରଘଟ ହେବାରୁ ରୋକିବା ପାଇଁ ଏହି ନିର୍ଦେଶ ଜାରି ହୋଇଛି। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପ୍ରିଲ ୨୨ରେ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ସାମରିକ  କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ପାକିସ୍ତାନ ସହ ଉତ୍ତେଜନାକୁ ଦେଖି ଶ୍ରୀନଗର, ଜାମ୍ମୁ, ଲେହ, ଅମୃତସର, ଚଣ୍ଡିଗଡ଼, ଗ୍ବାଲିୟର ଏବଂ ହିଣ୍ଡନ୍ ଭଳି ସ୍ଥାନରେ ଥିବା ଅନେକ ସମ୍ବେଦନଶୀଳ ବାୟୁସେନା ଘାଟି ସମେତ ଉତ୍ତର, ମଧ୍ୟ ଏବଂ ପଶ୍ଚିମ ଭାରତର ୩୨ଟି ବିମାନବନ୍ଦର କିଛି ଦିନ ପାଇଁ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ସେଠାରେ ବିମାନ ସେବା ଆରମ୍ଭ ହୋଇଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ଡିଜିସିଏ ବାୟୁସେନା ଘାଟି ପାଇଁ ଏହି ନୂଆ ନିର୍ଦେଶାବଳୀ ଜାରି କରିଛି। ଏହି ନିର୍ଦେଶ ବାୟୁସେନା ଘାଟିରୁ ପରିଚାଳିତ ସମସ୍ତ ବିମାନ ପାଇଁ ଲାଗୁ ହେବ। ସମସ୍ତ ଯାତ୍ରୀ ଜରୁରୀକାଳୀନ ପ୍ରସ୍ଥାନ ଝରକା ବ୍ୟତୀତ ଉଡ଼ାଣ ଏବଂ ଅବତରଣ ସମୟରେ ବିମାନ ଝରକା ବନ୍ଦ ରଖିବେ। ଯେପର୍ଯ୍ୟନ୍ତ ବିମାନଟି ଉଡ଼ାଣ ପରେ ୧୦,୦୦୦ ଫୁଟ ଉଚ୍ଚତା ଅତିକ୍ରମ କରିନାହିଁ, କିମ୍ବା ଅବତରଣ ସମୟରେ ୧୦,୦୦୦ ଫୁଟ ତଳକୁ ଖସିବା ପରେ ସିଭିଲ୍ ଟର୍ମିନାଲରେ ପାର୍କିଂ ସ୍ଥାନରେ ପହଞ୍ଚିନାହିଁ ସେପର୍ଯ୍ୟନ୍ତ ବିମାନ  ଝରକା ବନ୍ଦ ରହିବ। ସାଧାରଣ ପରିସ୍ଥିତିରେ, ସୁରକ୍ଷା ଦୃଷ୍ଟିରୁ ଉଡ଼ାଣ ଏବଂ ଅବତରଣ ସମୟରେ ସମସ୍ତ ଝରକା ଖୋଲା ରହିବାକୁ ପଡିଥାଏ। ଏହା ଯାତ୍ରୀ ଏବଂ କର୍ମଚାରୀଙ୍କୁ ବିମାନ ବାହାରେ ନିଆଁ କିମ୍ବା ଭଗ୍ନାବଶେଷ ଭଳି ବାହ୍ୟ ସ୍ଥିତିକୁ ଦେଖିବା ଓ ଜରୁରୀକାଳୀନ ପରିସ୍ଥିତିରେ ପ୍ରସ୍ଥାନକୁ ଭଲ ଭାବରେ ଦେଖିବା ସହଜ ହୋଇଥାଏ। ବାୟୁସେନା ଘାଟିରେ ବେସାମରିକ କାର୍ଯ୍ୟ ପାଇଁ ଡିଜିସିଏ ନିର୍ଦେଶ ଦେଇଛି ଯେ ଜଣେ ଯାତ୍ରୀ ଯାତ୍ରା ସମୟରେ ବିମାନ କିମ୍ବା ବିମାନବନ୍ଦର ଫଟୋ ଓ ଭିଡିଓ ଉତ୍ତୋଳନ କରିପାରିବେ ନାହିଁ। ଯେଉଁଥିରେ ସେ ଟର୍ମିନାଲ ଭିତରେ ଥିବା ସମୟରେ, ବିମାନକୁ ଯାଉଥିବା କିମ୍ବା ବାହାରକୁ ଯାଉଥିବା ଯାନବାହନରେ,  ଉଡ଼ାଣ ବନ୍ଦ କରିବା ସମୟରେ, ବିମାନ ୧୦,୦୦୦ ଫୁଟ ତଳେ ଉଡ଼ୁଥିବା ସମୟରେ, ବିମାନ ବାହାରେ, ଅବତରଣ ସମୟରେ, ବିମାନବନ୍ଦରରେ ଓ ଟ୍ୟାକ୍ସି କରିବା ସମୟରେ ମଧ୍ୟ ଫଟୋ ଓ ଭିଡିଓ ଉତ୍ତୋଳନକୁ ବାରଣ କରାଯାଇଛି। ସର୍ବଦା ବିମାନ ୧୦,୦୦୦ ଫୁଟ୍‌ ତଳେ ଉଡ଼ୁଥିବା ସମୟରେ ଫଟୋ ଓ ଭିଡିଓ ଉତ୍ତୋଳନକୁ ବାରଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ