ଲକ୍ଷ୍ନୌ : ସମଗ୍ର ଦେଶରେ ପ୍ରବଳ ଗ୍ରୀଷ୍ମପ୍ରଭାବ ଜାରି ରହିଛି । ଉତ୍ତର ପ୍ରଦେଶରେ ଅଧିକାଂଶ ସ୍ଥାନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର କରିଛି । ପାଣିପାଗ ବିଜ୍ଞାନ ବିଭାଗ ରାଜ୍ୟର ଅନେକ ଅଞ୍ଚଳ ପାଇଁ ରବିବାର ଲୁ ଚେତାବନୀ ଜାରି କରିଛନ୍ତି । ବୁନ୍ଦେଲଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶର ଦକ୍ଷିଣାଞ୍ଚଳରେ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ଲୁ ବହିବାର ପୂର୍ବାନୁମାନ କରାଯାଉଛି । ଏଣୁ ପାଣିପାଗ ବିଭାଗ ଦିନର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଅଥବା ଉପରକୁ ପହଞ୍ଚି ପାରେ ବୋଲି ପୂର୍ବାନୁମାନ କରିଥିବା ବେଳେ ଲୋକଙ୍କୁ ସତର୍କ କରାଇଛନ୍ତି ।
ପାଣିପାଗ ବିଜ୍ଞାନ ବିଭାଗ କହିବା ଅନୁଯାୟୀ, ପୁରା ରାଜ୍ୟର ପାଗ ଏବେ ଶୁଷ୍କ ରହିଛି ଓ ଲଗାତାର ପଶ୍ଚିମା ପବନ ବହୁଛି । ଦ୍ବିପ୍ରହରରେ ଭୀଷଣ ଖରା ସାଙ୍ଗକୁ ଗରମ ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଏବେ ଘରୁ ବାହାରିବା କଷ୍ଟକର ହେଉଛି । ଏଣୁ ଡାକ୍ତର ମଧ୍ୟ ପରାମର୍ଶ ଦେଉଛନ୍ତି ଅତ୍ୟନ୍ତ ଜରୁରି କାମ ନ ଥିଲେ ମଧ୍ୟାହ୍ନରେ ଘରୁ ପଦାକୁ ନ ବାହାରନ୍ତୁ ଓ ସାଙ୍ଗରେ ପର୍ଯ୍ୟାପ୍ତ ପାଣି ରଖନ୍ତୁ ।
ପ୍ରୟାଗରାଜରେ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ବାରଣାସୀରେ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସୁଲତାନପୁରରେ ୪୩.୮, ଝାଂସୀରେ ୪୩.୬, ହମୀରପୁରରେ ୪୩.୨, ଫୁରସତଗଞ୍ଜରେ ୪୩.୧ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।
ଲଗାତାର ବଢୁଥିବା ଗରମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛି । ଏଥିରେ ପିଲା, ବୟଷ୍କ ଓ ଅସୁସ୍ଥ ଲୋକଙ୍କ ଖାସ ଧ୍ୟାନ ରଖିବାକୁ କୁହାଯାଇଛି ।
