Sunday, April 12, 2026
39 C
Odisha

    ଏଣିକି ଓଡ଼ିଆରେ ଏମ୍‌ବିଏ ଶିକ୍ଷାଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଏଆଇସିଟିଇ ସହଯୋଗରେ ଇଗ୍ନୋ ଇ-କୁମ୍ଭ ପ୍ରକଳ୍ପ ଅଧୀନରେ ୧୨ଟି ଭାରତୀୟ ଭାଷାରେ ଇଗ୍ନୋର ଏମ୍‌ବିଏ ପାଠ୍ୟକ୍ରମ ଅନୁବାଦ କରୁଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଛାତ୍ରଛାତ୍ରୀ ଏବେ ଓଡ଼ିଆ ଭାଷାରେ ଏମ୍‌ବିଏ (ମାଷ୍ଟର ଅଫ୍‌ ବିଜିନେସ ଆଡ଼ମିନିଷ୍ଟ୍ରେସନ) ଶିକ୍ଷା ପାଇବେ।

    ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭାଷାରେ ଏମ୍‌ବିଏ ପୁସ୍ତକ ପ୍ରକାଶନ ପାଇଁ ଇଗ୍ନୋର ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହା ଓଡ଼ିଶାର ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ସାହାଯ୍ୟ କରିବ। ମାତୃଭାଷାର ପ୍ରଗତିରେ ହିଁ ସମାଜର ପ୍ରଗତି ଘଟିଥାଏ। ଓଡ଼ିଶା ଏକ ଜ୍ଞାନ ଆଧାରିତ ସମାଜ ଏବଂ ଭାଷା ଆମ ପ୍ରଗତିର ସବୁଠୁ ବଡ଼ ସହାୟକ।ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାର ଉଚ୍ଚଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ ବୋଲି ସେ କହିଥିଲେ। ଓଡ଼ିଆ ଭାଷାର ଶିକ୍ଷାକୁ ଗଭୀର କରିବା ପାଇଁ ଓଡ଼ିଶା ସରକାର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଆ ଭାଷା ଓ ଶିକ୍ଷାର ପରିସର ବୃଦ୍ଧି ଆମ ପାଇଁ ପ୍ରାଥମିକତା। ଅନ୍ୟତମ ଅତିଥିଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି. ଜି. ସିଆରାମ ଓ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ପ୍ରମୁଖ ଯୋଗ ଦେଇ ବୈଷୟିକ ଶିକ୍ଷାକ୍ଷେତ୍ରରେ ଓଡ଼ିଆ ଭାଷାରେ ପୁସ୍ତିକା ଉନ୍ମୋଚନକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳର କୁଳପତି, ଇଗ୍ନୋର ଶୈକ୍ଷିକ ପରାମର୍ଶଦାତା, ସଂଯୋଜକ, ଭୁବନେଶ୍ବରର ବରିଷ୍ଠ ନିର୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ, ଲକ୍ଷ୍ନୌ ମୁଖ୍ୟାଳୟରୁ ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର ନୟନତାରା ପାଢ଼ୀ, ପ୍ରଫେସର ଏମ.ଏସ.ଏସ ରାଜୁ ଏବଂ ପ୍ରଫେସର ରାଜୀବ ଶୁକ୍ଳ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡ. ସଂଘମିତ୍ରା ସଂଯୋଜନା କରିଥିଲେ। ସୂଚନାଯୋଗ୍ୟ, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ଦୃଷ୍ଟିରୁ ସାର୍ବଜନୀନ ମୁକ୍ତ ଏବଂ ଦୂରଶିକ୍ଷା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାରେ ଏମ୍‌ବିଏ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ