Sunday, October 4, 2026
24.3 C
Odisha

    ଏଣିକି ଜୈବିକ ଚାଉଳରେ ଶ୍ରୀମନ୍ଦିର କୋଠଭୋଗ

    ଆଗକୁ ପଢନ୍ତୁ

    ମହାପ୍ରସାଦକୁ ରସାୟନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର କୋଠଭୋଗରେ ଜୈବିକ ଚାଉଳ ବ୍ୟବହାର କରାଯିବ। ଏହାସହ ଶ୍ରୀଗୁଣ୍ଡିଚା ସମୟରେ ସମ୍ପୂର୍ଣ୍ଣ ଲାଗି ହେଉଥିବା ଭୋଗରେ ଜୈବିକ ଚାଉଳ ଓ ପନିପରିବା ବ୍ୟବହାର ହେବ। ‘ଅମୃତ ଅନ୍ନ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ ଆନନ୍ଦବଜାରରେ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ସଂପୂର୍ଣ୍ଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ଲାଗି ଏକ ପରିଚାଳନା କମିଟି ଗଠନ କରାଯିବ ଏବଂ ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସୁଆର-ମହାସୁଆର ନିଯୋଗ ପ୍ରତିନିଧିଙ୍କ ସମେତ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ସଦସ୍ୟ ରହିବେ। ବୁଧବାର କୃଷି ଭବନ ସମ୍ମିଳନୀ କକ୍ଷରେ ଶ୍ରୀମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳର ବ୍ୟବହାର ସଂକ୍ରାନ୍ତୀୟ ପରାମର୍ଶ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ସୁଆର ମହାସୁଆର ନିଯୋଗ ସ୍ବାଗତ ଜଣାଇଛି।.

    ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଉତ୍ପାଦିତ ‘କଳାଜିରା’, ‘ପିମ୍ପୁଡ଼ିବାସ’, ‘ଯୁବରାଜ’ ଆଦି ଜୈବିକ ଚାଉଳ ଦେଶୀୟ ପ୍ରଜାତିର ଜୈବିକ ଧାନ ‘ଅମୃତ ଅନ୍ନ’ ମହାପ୍ରସାଦରେ ବ୍ୟବହାର ହେବ। ତହିଁରୁ କଳାଜିରା ଧାନ ଜିଆଇ ଟ୍ୟାଗ୍‌ (ଭୌଗୋଳିକ ସୂଚକାଙ୍କ)ରେ ସ୍ଥାନିତ ହୋଇସାରିଛି। ଚଳିତବର୍ଷ କୋରାପୁଟରେ ୧୩୬୫ ଏକର ଜମିରେ କଳାଜିରା ଚାଉଳ ଚାଷ ହୋଇଛି। କୋଟପାଡ଼ଠାରେ ପ୍ରଥମଥର ପାଇଁ କଳାଜିରା ଧାନ ମଣ୍ଡି ଖୋଲାଯାଇଛି। ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଅର୍ଗାନିକ୍‌ ସାର୍ଟିଫିକେସନ୍‌ ଓ ରିଆତି ଆଦିର ପ୍ରସ୍ତାବ ରହିଛି। ଏଥିସହ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)ମାନଙ୍କୁ କ୍ଲଷ୍ଟର ଆପ୍ରୋଚ୍‌ ମାଧ୍ୟମରେ ଜୈବିକ ଚାଉଳ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ରୁ ୨୦୦ ଏକର ଜମିରେ ଜୈବିକ ଚାଉଳ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ବିହନ ସଂରକ୍ଷଣ କରାଯାଇ ପରବର୍ତ୍ତୀ ସମୟରେ ଅଧିକ ଜୈବିକ ଧାନ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବ। ଜୈବିକ ପଦ୍ଧତିରେ ଉତ୍ପାଦନ ବେଳେ ଗୋମୂତ୍ର, ଗୋବର, ବୀଜାମୃତ ତଥା ଅନ୍ୟ ଜୈବିକ ଖତର ବ୍ୟବହାର ରାଜ୍ୟରେ ଗୋବଂଶର ସୁରକ୍ଷା ଓ ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ।

    ବୈଠକରେ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଓୟୁଏଟିର ଡିନ୍‌ ପ୍ରଫେସର ପ୍ରସନ୍ନଜିତ ମିଶ୍ର, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, କମାଣ୍ଡର ସୁଧାକର ପଟ୍ଟନାୟକ, ସୁଆର-ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର ଓ ସଂପାଦକ ନାରାୟଣ ମହାସୁଆର, ବରିଷ୍ଠ ସେବାୟତ ବୈଦନାଥ ମହାସୁଆର, ବିଭିନ୍ନ ଜୈବିକ ଉତ୍ପାଦକ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି, ରାଜେନ୍ଦ୍ର ଦେଶୀ ଧାନ ଗବେଷଣା ପ୍ରତିଷ୍ଠାନର ନଟବର ଷଡ଼ଙ୍ଗୀ, କୋରାପୁଟ ପ୍ରଗତି ଅନୁଷ୍ଠାନର ପ୍ରଭାକର ଅଧିକାରୀ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ