ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ ଇତିହାସରେ ପ୍ରଥମ ବିରଳ ଅସ୍ତ୍ରୋପଚାର । ୨୧ ଦିନର ଶିଶୁ ପାଇଲା ନୂଆ ଜୀବନ। ଶିଶୁର ହେଲା ରପଚର୍ଡ ମାଇଲୋମେନିଙ୍ଗୋସିଲ ତଥା ମେରୁଦଣ୍ଡର ସଫଳ ଅସ୍ତ୍ରୋପଚାର । ନବରଙ୍ଗପୁର ଜିଲ୍ଲା ତଣ୍ଡା ଗାଁ ପର୍ଶୁ ଗୌଡ଼ଙ୍କ ନବଜାତ ଶିଶୁର ମେରୁଦଣ୍ଡଟି ସମ୍ପୂର୍ଣ୍ଣ ରୂପେ ବାହାରକୁ ବାହାରି ଯାଇଥିଲା । ପରିବାର ଲୋକ ପ୍ରଥମେ ନବରଙ୍ଗପୁର ଓ ପରେ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ ।
ଏହାପରେ ଶିଶୁକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏମକେସିଜି ମେଡିକାଲରେ ଶିଶୁକୁ ନ୍ୟୁରୋଲଜି ବିଭାଗରେ କିଛି ଦିନ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ନ୍ୟୁରୋଲଜି ବିଭାଗର ବରିଷ୍ଠ ଡାକ୍ତର ରବି ନାରାୟଣ ପଣ୍ଡାଙ୍କ ଦ୍ବାରା ଶିଶୁଟିର ଗତ ୨୬ତାରିଖରେ ମେରୁଦଣ୍ଡ ଜନିତ ରପଚର୍ଡ ମାଇଲୋମେନିଙ୍ଗୋସିଲ୍ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି ।
ଏହି ମେରୁଦଣ୍ଡ ଜନିତ ସମସ୍ୟାରେ ଶିଶୁର ହାତଗୋଡ଼ ଚାଲେ ନାହିଁ, ପରିସ୍ରା ଏବଂ ଝାଡ଼ା ନିୟନ୍ତ୍ରଣ ହୁଏ ନାହିଁ । ମେରୁଦଣ୍ଡ ବାହାରକୁ ବାହାରି ରହିଥାଏ ଓ ତାର ଆବରଣ ବି ନଥାଏ । ଶିଶୁର ଏଭଳି ବିରଳ ଅସ୍ତ୍ରୋପଚାର ଏମକେସିଜି ମେଡିକାଲର ଇତିହାସରେ ପ୍ରଥମ ବୋଲି କହିଛନ୍ତି ନ୍ୟୁରୋଲଜି ବିଭାଗର ବିଭାଗୀୟ ମୁଖ୍ୟ। ବର୍ତ୍ତମାନ ଶିଶୁଟି ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ସେ ନୂଆ ଜୀବନ ପାଇଥିବା ଯୋଗୁଁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶିଶୁର ପରିବାର ।
