ପ୍ରଶାନ୍ତମହାପାତ୍ର-ସୁବାଶିଷ ଭୂୟାଁ ସ୍ମାରକୀ ଏମସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି ଆୟୋଜକ ମୁକ୍ତେଶ୍ବର କ୍ରିକେଟ୍ କ୍ଲବ। ବିଜେବି ଗ୍ରାଉଣ୍ଡରେ ଖେଳା ଯାଇଥିବା ଆଜିର ଫାଇନାଲ ମ୍ୟାଚରେ ପ୍ରଗତି ସ୍ପୋର୍ଟିଂକୁ ୧୩ ରନରେ ହରାଇ ମୁକ୍ତେଶ୍ବର ଚାମ୍ପିଅନ୍ ଟ୍ରଫି ଜିତିଛି ।
ଭାରତୀୟ କ୍ରିକେଟ ଟିମର ଚୟନ କର୍ତ୍ତା ତଥା ଓଡିଶାର ପୂର୍ବତନ ଟେଷ୍ଟ କ୍ରିକେଟ୍ ଖେଳାଳି ଶିବ ସୁନ୍ଦର ଦାସ ଏହି ଆଜିର ଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ l ମୁକ୍ତେଶ୍ଵର ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇ ୪୦ ଓଭରରେ ୨୭୪ ରନ ସ୍କୋର କରିଥିଲା । ଅର୍ସଦ କିଶୋର ମାତ୍ର ୬୬ ବଲରୁ ୧୦୨ ରନ୍ କରି ଶତକ ହାସଲ କରିଥିଲେ । ସ୍ବରୂପ ଭୂୟାଁ ୪୧, ଅନୁରାଗ ଷଡ଼ଙ୍ଗୀ ୩୧, ରମଣୀ ଜେନା ୩୪, ଅଭିନବ ନନ୍ଦ ୪୬ ରନ୍ ସ୍କୋର କରିଥିଲେ ।
ପରେ ପ୍ରଗତି ସ୍ପୋର୍ଟିଂ ୪୦ ଓଭରରେ ୯ ୱିକେଟ୍ ହରାଇ ୨୬୧ ସଂଗ୍ରହ କରି ପାରିଥିଲା । ରଘୁନାଥ ମଲ୍ଲ ୯୬ ଏବଂ ଆୟୁଷ ବାରିକ ୮୪ ରନ୍ କରି ଦଳକୁ ଜିତାଇବା ପାଇଁ ପୂରା ପ୍ରୟାସ କରିଥିଲେ । ହେଲେ ମାତ୍ର ୩୪ ରନରେ ୪ ୱିକେଟ୍ ହରାଇବା ପରେ ପ୍ରଗତି ସ୍ପୋର୍ଟିଂ ପରାଜୟ ଆଡ଼କୁ ଠେଲି ହୋଇ ଯାଇଥିଲା । ଏମସିସି ପକ୍ଷରୁ ଆଶୁତୋଷ ମାରାଣ୍ଡି ୫ ଏବଂ ଶ୍ରୀରାଜ ପଟନାୟକ ୩ଟି ୱିକେଟ୍ ନେଇଥିଲେ ।
ଉଦଯାପନୀ ଉତ୍ସବ ବଡ଼ ଧୁମଧାମରେ ଆୟୋଜନ ହୋଇଥିଲା l ଉଭୟ ଟିମ୍ ଓ ଖେଳାଳିମାନଙ୍କୁ ଟ୍ରଫି ସହିତ ପୁରସ୍କାର ରାଶି ସହିତ ପ୍ରଦାନ କରା ଯାଇଥିଲା । ଟୁର୍ଣ୍ଣାମେଣ୍ଟଟିକୁ କ୍ଲବର ସଭାପତି ଗୁରୁଜିତ ସିଂ, ସମ୍ପାଦକ ଗୌର ପ୍ରସାଦ ନନ୍ଦ ଓ ଅଜିତ ବିଶ୍ୱାଳ, ରୋମୀ ଆଞ୍ଜେଲ ମିଶ୍ର, ରାହୁଲ ହୋତା ଭଳି ବରିଷ୍ଠ କର୍ମକର୍ତ୍ତା ପରିଚାଳନା କରିଥିଲେ । ଉଦଯାପନୀ ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଏକାମ୍ର ବିଧାୟକ ବାବୁ ସିଂ ଏବଂ ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପଙ୍କଜ ମହାନ୍ତି ସମ୍ମାନିତ ଅତିଥି ଥିଲେ । ରାଜଧାନୀର ପୁରାତନ କ୍ଲବ୍ ମୁକ୍ତେଶ୍ବର ଅନେକ ଦକ୍ଷ ଖେଳାଳି ସୃଷ୍ଟି କରି ଚାଲିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦ଟିମ ଅଂଶଗ୍ରହଣ କରିଥିଲେ l
