ଭୁବନେଶ୍ୱର : ଓଡ଼ିଶାକୁ ବଢ଼ୁଛି ବିପଦ । ବାତ୍ୟା ‘ଅକଭାନ’କୁ ନେଇ ବଢ଼ିଲା ଚିନ୍ତା। ଦକ୍ଷିଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୦ରେ ବାତ୍ୟାର ବଡ଼ ପ୍ରଭାବ ଆଶଙ୍କା । ୪ ଦିନ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ‘ଅକଭାନ’କୁ ନେଇ ବଢ଼ିଛି ଚିନ୍ତା। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ଆହୁରି ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସତର୍କତା ବଢ଼ାଯାଇଛି। ୨୦ରେ ବାତ୍ୟାର ବଡ଼ ପ୍ରଭାବ ପଡ଼ିବା ଆଶଙ୍କା ରହିଛି ।
ପୂର୍ବାନୁମାନ ଅନୁସାରେ ଅକଭାନ ଆନ୍ଧ୍ରପ୍ରଦେଶ ଓ ୟାନମ ଉପକୂଳର ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ବାତ୍ୟା ଅତି ଧୀର ଗତିରେ ଆଗକୁ ବଢ଼ୁଥିବାରୁ ଏହାର ଗତିପଥ ଓ ତୀବ୍ରତା ଉପରେ ନଜର ରଖିଛି ପାଣିପାଗ ବିଭାଗ । ପୂର୍ବ ବୁଲେଟିନ୍ ଅନୁସାରେ ବାତ୍ୟା ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ବେଗରେ ଗତି କରୁଥିଲା। ବାତ୍ୟା ପ୍ରଭାବରେ ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଆଶଙ୍କା ରହିଛି । ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଲଗାଣ ବର୍ଷା ହେଲେ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ଦୁର୍ବଳ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ଅନ୍ୟପଟେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିପାରେ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍ ଉପରେ ନଜର ରଖିବାକୁ କୁହାଯାଇଛି। ବାତ୍ୟାର ଗତିପଥ ଓ ତୀବ୍ରତା ଅନୁସାରେ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ବଦଳିପାରେ। ତେବେ ଓଡ଼ିଶାରେ ବାତ୍ୟା ସିଧାସଳଖ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନରେ କୁହାଯାଇନାହିଁ।
ଏଥିସହ ବାତ୍ୟା ‘ଆକଭାନ୍’ର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା NDRF । ଓଡ଼ିଶା ଓ ବିଶାଖାପାଟଣାରେ ୧୧ NDRF ଟିମ୍ ମୁତୟନ । ଓଡ଼ିଶାରେ ୮, ବିଶାଖାପାଟଣାରେ ୩ NDRF ଟିମ୍ ନିୟୋଜିତ ହେବେ। ବାତ୍ୟା ‘ଆକଭାନ୍’ ଏବଂ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ତ୍ୱରିତ ଉଦ୍ଧାର କାର୍ଯ୍ୟ ଓ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗତକାଲି ୫ଟି ଟିମ୍ ଓଡ଼ିଶାରେ ନିୟୋଜିତ ହୋଇଥିଲେ। ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ୫ଟି ଉଦ୍ଧାରକାରୀ ଦଳ ମୁତୟନ କରାଯାଇଥିଲା। ଆଜି ପୁଣି NDRFର ୩ଟି ଟିମ୍ ନିୟୋଜିତ କରାଯାଇଛି। ଗଞ୍ଜାମରେ ୨ଟି ଏବଂ ଗଜପତିରେ ଗୋଟାଏ ଟିମ୍ ନିୟୋଜିତ କରଯାଇଛି। ସେହିପରି ବାତ୍ୟାଜନିତ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ନିମନ୍ତେ ବିଶାଖାପାଟଣାରେ ମଧ୍ୟ ୩ଟି ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ଅବଶିଷ୍ଟ ଉଦ୍ଧାରକାରୀ ଦଳଗୁଡ଼ିକୁ ସମ୍ପୂର୍ଣ୍ଣ ଆଲର୍ଟରେ ରଖାଯାଇଛି ।
