Tuesday, June 23, 2026
37.3 C
Odisha

    କତାର LNG ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା, ୧୨ ଭାରତୀୟଙ୍କ ସମେତ ୧୩ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କତାରରେ ଭୟାବହ ବିସ୍ଫୋରଣ । ୧୨ ଭାରତୀୟଙ୍କ ସମେତ ୧୩ ମୃତ୍ୟୁ ହୋଇଥିବା ବେଳେ ୬୬ ଆହତ ହୋଇଛନ୍ତି । ବୃହତ୍ତମ ଏଲଏନଜି ହବ୍ ‘ରସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟି’ରେ ଥିବା ବାରଜାନ ସ୍ଥାନୀୟ ଗ୍ୟାସ ଯୋଗାଣ ପ୍ରତିଷ୍ଠାନରେ ଏକ ଭୟାବହ ବିସ୍ଫୋରଣ ଘଟିଥିଲା । ଘଟଣାକୁ ନେଇ ଭାରତୀୟ ଦୂତାବାସ ଚିନ୍ତା ପ୍ରକଟ କରିଛି ।

    ରବିବାର ରାତି ପ୍ରାୟ ୧୦ଟା୩୦ରେ ଘଟିଥିବା ଏହି ଅଗ୍ନିକାଣ୍ଡ ଓ ବିସ୍ଫୋରଣରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୬୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣ ଭାରତୀୟ ନାଗରିକ ଓ ଜଣେ ପାକିସ୍ତାନୀ ନାଗରିକ ଅଛନ୍ତି । ଆହତ ୬୬ ଜଣଙ୍କ ମଧ୍ୟରେ ଭାରତ, ପାକିସ୍ତାନ, ବାଂଲାଦେଶ, କେନ୍ୟା, ତାନଜାନିଆ, ନାଇଜେରିଆ ଓ ନେପାଳ ସମେତ ବିଭିନ୍ନ ଦେଶର ଶ୍ରମିକ ରହିଛନ୍ତି । ବର୍ତ୍ତମାନ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।

    ୨୦୨୫ ଡିସେମ୍ବର ମାସରେ ଇରାନ ମିସାଇଲରେ ନଷ୍ଟ ହୋଇଥିଲା ଗ୍ୟାସ୍ ପ୍ଲାଣ୍ଟ । ଆଉ ଏହାର ରକ୍ଷଣାବେକ୍ଷଣ ପାଇଁ ଗତ ରବିବାର ରାତିରେ ପୁନର୍ବାର କାମ ଆରମ୍ଭ ହେଉଥିବା ବେଳେ ବିସ୍ଫୋରଣ ଘଟିଥିଲା । କତାର ଏନର୍ଜି’ର ସିଇଓ ସାଦ ବିନ୍ ଶେରିଦା ଅଲ କାବିଙ୍କ ସୂଚନା ଅନୁଯାୟୀ, ଏହା କୌଣସି ସନ୍ତ୍ରାସବାଦୀ ଆକ୍ରମଣ କିମ୍ବା ଷଡ଼ଯନ୍ତ୍ର ନୁହେଁ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି ଏବଂ କୌଣସି ବିଷାକ୍ତ ଗ୍ୟାସ ନିର୍ଗତ ହୋଇନାହିଁ । ତେଣୁ ଆଖପାଖ ଅଞ୍ଚଳ ବା ପରିବେଶ ପ୍ରତି କୌଣସି ବିପଦ ନାହିଁ । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ।

    ଦୋହାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୧୨ ଭାରତୀୟଙ୍କ ମୃତ୍ୟୁକୁ ନିଶ୍ଚିତ କରାଯିବା ସହ ଗଭୀର ଶୋକ ପ୍ରକାଶ କରାଯାଇଛି । ମୃତଦେହଗୁଡ଼ିକୁ ସମ୍ମାନର ସହ ଭାରତ ଫେରାଇ ଆଣିବା ପାଇଁ କାତାର ପ୍ରଶାସନ ସହ ନିରନ୍ତର ଯୋଗାଯୋଗ ଚାଲିଛି । ପ୍ରଭାବିତ ପରିବାରଙ୍କ ସହାୟତା ପାଇଁ ଦୂତାବାସ ପକ୍ଷରୁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । କତାର ଏନର୍ଜି ଏବଂ ସ୍ଥାନୀୟ ପ୍ରଶାସନ ପୀଡ଼ିତଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.3 ° C
    37.3 °
    37.3 °
    31 %
    2.8kmh
    72 %
    Tue
    36 °
    Wed
    38 °
    Thu
    39 °
    Fri
    35 °
    Sat
    36 °

    ସମ୍ବନ୍ଧିତ