ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କାରକେଡ୍ ଦୁର୍ଘଟଣାର ଶିକାର ହୋଇଛି । ରାହୁଲ ଗାନ୍ଧିଙ୍କ କାରକେଡରେ ଥିବା ୫ଟି ଗାଡ଼ି ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି । ପୂର୍ବାଞ୍ଚଳ ଏକ୍ସପ୍ରେସୱେର ୯୧ କିଲୋମିଟର ମାଇଲଷ୍ଟୋନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କଂଗ୍ରେସ କର୍ମୀ, ଦଳୀୟ ପଦାଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ ରାହୁଲ ଗାନ୍ଧି ସୁରକ୍ଷିତ ଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ସମୟରେ ଏହି ଅଘଟଣ ଘଟିଛି । ସୁଲତାନପୁରର ଏକ ମାନହାନି ମାମଲାରେ ଆଜି ତାଙ୍କର କୋର୍ଟରେ ହାଜିରା ରହିଛି । ଏହି ସମୟରେ ରାହୁଲ ଗାନ୍ଧି ଯାଉଥିବା ବେଳେ କାରକେଡରେ ଥିବା ୫ଟି ଗାଡ଼ି ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ କଂଗ୍ରେସ କର୍ମୀ, ଦଳୀୟ ପଦାଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି ।
ପ୍ରାୟ ୮ ବର୍ଷ ପୁରୁଣା ଏହି ମାନହାନି ମାମଲା ୨୦୧୮ ମସିହାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟର ଏକ ଘଟଣା ସହ ଜଡ଼ିତ । ସେହି ସମୟରେ ରାହୁଲ ଗାନ୍ଧି ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ନେଇ ଦେଇଥିବା ଏକ ଟିପ୍ପଣୀକୁ କେନ୍ଦ୍ର କରି ଏହି ମାମଲା ଦାୟର ହୋଇଥିଲା । ରାହୁଲଙ୍କ ଟିପ୍ପଣୀ ଅମିତ ଶାହଙ୍କ ଛବିକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରି ସୁଲତାନପୁରର ବିଜେପି ନେତା ବିଜୟ ମିଶ୍ର ୪ ଅଗଷ୍ଟ ୨୦୧୮ରେ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ । ଆଜି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଅଦାଲତ ରାୟ ଶୁଣାଇବାର କାର୍ଯ୍ୟକ୍ରମ ରହିଛି ।
