Sunday, October 18, 2026
23.2 C
Odisha

    କେଉଁଝର ଟେକ୍ସଟାଇଲ୍ ପାର୍କ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କେଉଁଝର   :  କେଉଁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଛନ୍ତି।ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେଉଁଝରକୁ ଏକ ବିବିଧ ଶିଳ୍ପ ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଉପସ୍ଥାପନା କରିଛନ୍ତି। କେଉଁଝର କେବଳ ଖଣି ଏବଂ ଇସ୍ପାତ ପାଇଁ ଜଣାଯିବ ନାହିଁ। ଆମେ ଏହାକୁ ବହୁବିଧ କ୍ଷେତ୍ର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ର କରିବାକୁ ପ୍ରତିବଦ୍ଧ। ଆମର ଦୃଷ୍ଟିକୋଣ ହେଉଛି ଏକ ସୁନାର କେଉଁଝର ନିର୍ମାଣ କରିବା ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

     

    ସୂଚନା ଯୋଗ୍ୟ, ୧୦୦ କୋଟି ଟଙ୍କା ନିବେଶରେ ବିକଶିତ ହେବାକୁଥିବା ଟେକ୍ସଟାଇଲ୍ ପାର୍କରେ ୧,୨୦୦ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ। ଆଧୁନିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ସହାୟତା ସହିତ ହିଣ୍ଡାଲ୍କୋ ୭ ଏକର ଜମିରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହି ୟୁନିଟ୍ ବାର୍ଷିକ ୨୪ ଲକ୍ଷ ପୋଷାକ ଉତ୍ପାଦନ କରିବ। ବୟନ ଶିଳ୍ପର ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ଶିଳ୍ପଗୁଡ଼ିକ ସମୃଦ୍ଧିର ସ୍ତମ୍ଭ। ବିଶେଷକରି ବୟନ କ୍ଷେତ୍ର ମହିଳା ଏବଂ ଯୁବକମାନଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ପ୍ରଦାନ କରେ।”

    ସେ ଆହୁରି କହିଥିଲେ ଯେ ଗତ ବର୍ଷ ଜୁଲାଇ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଓ-ଟେକ୍ସ ଟେକ୍ସଟାଇଲ୍ କନକ୍ଲେଭ ସମୟରେ, ୭,୮୦୦ କୋଟି ଟଙ୍କାର ୩୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା, ଯାହା ରାଜ୍ୟ ସାରା ୫୩,୦୦୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି। ଭଦ୍ରକରେ ଏକ ଟେକ୍ନିକାଲ୍ ଟେକ୍ସଟାଇଲ୍ ପାର୍କ ସହିତ, କେଉଁଝର, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ, କଟକ ଏବଂ ଜଗତସିଂହପୁର ଠାରେ ମଧ୍ଯ ସମର୍ପିତ ବୟନଶିଳ୍ପ ଏବଂ ପୋଷାକ ପାର୍କ ପ୍ରତିଷ୍ଠା କରାଯାଉଛି।ଆମର ଯୁବପିଢ଼ି ଅନ୍ୟ ରାଜ୍ୟରେ ବୟନ ଶିଳ୍ପକୁ ମଜବୁତ କରୁଛନ୍ତି। ଏବେ, ଓଡ଼ିଶାରେ ମଧ୍ଯ ସମାନ ସୁଯୋଗ ସୃଷ୍ଟି କରାଯିବ ଯାହା ଦ୍ୱାରା ଲୋକମାନେ ନିଜ ଘର ପାଖରେ କାମ କରିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦ୍ୱାରା OCAC ମାଧ୍ୟମରେ ୧୮୭ କୋଟି ବିନିଯୋଗରେ ଏକ ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟର ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି। ଏହି ସୁବିଧା ଭୁବନେଶ୍ୱରରେ ଥିବା ରାଜ୍ୟ ଡାଟା ସେଣ୍ଟରର ଏକ ବ୍ୟାକଅପ୍ ଭାବରେ କାର୍ଯ୍ୟ କରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ସାଇବର ବିପଦ କ୍ଷେତ୍ରରେ ଡିଜିଟାଲ୍ ଜରିଆରେ ପ୍ରଦାନ କରାଯାଉଥିବା ସରକାରୀ ସେବାର ନିରବଚ୍ଛିନ୍ନ ବିତରଣ ଜାରି ରହିବ ।

    ଏହି ସେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏହା ତଥ୍ୟର ଯୁଗ। ଆମର ସରକାର ଅନଲାଇନରେ ୪୦୦ ରୁ ଅଧିକ ସେବା ପ୍ରଦାନ କରେ। ନାଗରିକଙ୍କ ତଥ୍ୟ ସର୍ବଦା ସୁରକ୍ଷିତ, ସୁଗମ ଏବଂ ଆମ ନିୟନ୍ତ୍ରଣରେ ରହିବା ଉଚିତ। କେନ୍ଦ୍ର ଡାଟା ସ୍ଥାନୀୟକରଣ ପ୍ରୟାସକୁ ସମର୍ଥନ କରିବ ଏବଂ ରାଜ୍ୟର ଡିଜିଟାଲ୍ ଶାସନ ଢାଞ୍ଚାର ସ୍ଥିରତାକୁ ବୃଦ୍ଧି କରିବ। କେଉଁଝର କମ୍ ଭୂମିକମ୍ପ-ବିପଦ ପ୍ରବଣ (ଜୋନ୍ ୨)  ହୋଇଥିବା ଯୋଗୁଁ ଏଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯାଇଛି । ଏହାଦ୍ବାରା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ  କ୍ଷେତ୍ରରେ କେଉଁଝର  କରିଥାଏ ବୋଲି ଅଗ୍ରାଧିକାର ଲାଭ କରିଛି ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି।

    ସନ୍ତୁଳିତ ଆଞ୍ଚଳିକ ବିକାଶ ଉପରେ ସରକାରଙ୍କ ଧ୍ୟାନକୁ ଦୋହରାଇ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜିଲ୍ଲାରେ ମନ୍ଦିର ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ କରାଯାଇଛି ଏବଂ ମକର ପର୍ବ ସମୟରେ ୧୯୦୦ କୋଟି ଟଙ୍କାର ପ୍ରକଳ୍ପ ପୂର୍ବରୁ ଆରମ୍ଭ କରାଯାଇଥିଲା।ଏକ ସମୃଦ୍ଧ ଓଡ଼ିଶା ଏହାର ଜିଲ୍ଲାଗୁଡ଼ିକର ସମୃଦ୍ଧି ମାଧ୍ୟମରେ ଗଢ଼ି ଉଠିବ। ଶିଳ୍ପ ଅଭିବୃଦ୍ଧି ଏବଂ ଡିଜିଟାଲ୍ ଶକ୍ତି ଏକ ବିକଶିତ ଭାରତ ଆଡକୁ ଆମର ଯାତ୍ରାର ପ୍ରମୁଖ ବାହକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଏହି କାର୍ଯ୍ୟକ୍ରମରେ କେଉଁଝର ସାଂସଦ ଶ୍ରୀ ଅନନ୍ତ ନାଏକ, ବିଧାୟକ ଶ୍ରୀ ଅଖିଳ ନାଏକ, ଡଃ ଫକୀର ମୋହନ ନାଏକ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ, ଓକାକ ସିଇଓ ଶ୍ରୀ ପ୍ରଦୀପ କୁମାର ରାଉତ, ହିଂଡ଼ାଲକୋ ସଭାପତି ଶ୍ରୀ ଅର୍ଧେନ୍ଦୁ ମହାପାତ୍ର, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ ନାଗରିକ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ