Saturday, October 10, 2026
27.9 C
Odisha

    କୋଟିଆ ସୀମାନ୍ତରେ ନିର୍ମାଣ ହେବ ତନଖି ଫାଟକ

    ଆଗକୁ ପଢନ୍ତୁ

    ସେମିଳିଗୁଡା   :   ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ କୋରାପୁଟ ଜିଲ୍ଲାର ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆରେ ରାଜ୍ୟ ସରକାର ତନଖି ଫାଟକ ଶୀଘ୍ର ସ୍ଥାପନ କରିବେ। ଏଥିପାଇଁ ଯୋଜନା ସରିଛି ବୋଲି କହିଛନ୍ତି ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ। ନିକଟରେ ଆନ୍ଧ୍ର ଅଧିକାରୀମାନେ କୋଟିଆରେ ଅନୁପ୍ରବେଶ କରି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରିବାକୁ କିଛି କାର୍ଯ୍ୟକ୍ରମ ଆୟୋଜନ କରିବା ପରେ ବ୍ଲକ ପ୍ରଶାସନ ଏଭଳି ଆଭିମୁଖ୍ୟ ଆପଣାଇଛି। କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତ ସମସ୍ୟାର ସମାଧାନ ନିଶ୍ଚିତ ହେବ ବୋଲି ଜିଲ୍ଲାବାସୀ ଆଶା ବାନ୍ଧିଥିଲେ ହେଁ ଆନ୍ଧ୍ର ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି। ଓଡ଼ିଶା ସରକାରଙ୍କ ସମସ୍ତ ରଣନୀତିକୁ ଭେଦ କରି ଆନ୍ଧ୍ର ପ୍ରଶାସନିକ ଅଧିକାରୀ ବାରମ୍ବାର କୋଟିଆରେ ପହଞ୍ଚି ନିଜ ଆଡକୁ ଓଡ଼ିଶାର ଲୋକଙ୍କୁ ଆକର୍ଷିତ କରିବାକୁ ଅହରହ ଉଦ୍ୟମ କରି ଚାଲିଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତ ପ୍ରବେଶ ପଥରେ ଯାଞ୍ଚ୍ ପ୍ରକ୍ରିୟା ନଥିବାରୁ ଆନ୍ଧ୍ର ପାର୍ଶ୍ବରୁ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ବ୍ୟବସାୟୀ ବିନା ଅନୁମତିରେ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରୁଛନ୍ତି।

    ସୀମାନ୍ତ ଖୋଲା ଯୋଗୁଁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଅଧିକାରୀ ବାରମ୍ବାର ଅନୁପ୍ରବେଶ କରି ବିଭିନ୍ନ ପ୍ରଲୋଭନ ଦେଖାଇ କୋଟିଆବାସୀଙ୍କୁ ଆକର୍ଷିତ କରୁଛନ୍ତି। କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମ ପୁଞ୍ଜରେ ଆନ୍ଧ୍ର ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ବିବାଦୀୟ ଗ୍ରାମ ପୁଞ୍ଜ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ସହ ଉଭୟ ରାଜ୍ୟ ସରକାର ଆପୋଷ ବୁଝାମଣା ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ଏପଟେ ସୀମାନ୍ତର ଇଞ୍ଚେ ଜାଗା କାହାକୁ ଛଡାଯିବ ନାହଁ ବୋଲି ରାଜ୍ୟ ସରକାର କହୁଛନ୍ତି। ହେଲେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ ଉପରେ ରୋକ ଲଗାଇ ପାରୁନି। ପଟାଙ୍ଗି ବ୍ଳକର ନିର୍ବିବାଦୀୟ ୮ ପଞ୍ଚାୟତର ବହୁ ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରି ସେଠାକାର ବାସିନ୍ଦାଙ୍କୁ ମଧ୍ୟ ରାସନ, ପେନସନ ଓ ଆଧାର କାର୍ଡ ଯୋଗାଇଛି।

    ଏଣେ ଓଡ଼ିଶା ସରକାର ସ୍ବତନ୍ତ୍ର ପ୍ୟାକେଜ ମାଧ୍ୟମରେ କୋଟିଆ ପଞ୍ଚାୟତବାସିନ୍ଦାଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଶିକ୍ଷା, ସ୍ବାାସ୍ଥ୍ୟ, ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ, ନେଟୱର୍କ ସେବା ସହ ସ୍ବାବଲମ୍ବୀ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମତ୍ସ୍ୟଚାଷ , ଷ୍ଟ୍ରବେରୀ, ଗୋପାଳନ, କୁକୁଡ଼ା, ଛେଳି ଓ କଦଳୀ ଚାଷ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଆସୁଛନ୍ତି। ଶିକ୍ଷା ପାଇଁ ସ୍ବତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ ସହ ପ୍ରତି ଗ୍ରାମରେ ବିଦ୍ୟାଳୟ ସ୍ଥାପନ କରାଯାଇଛି। ରାଜ୍ୟ ସରକାର ସୀମାନ୍ତରେ ଫାଟକ ନିର୍ମାଣ କରି ସୁରକ୍ଷା କଡାକଡି କଲେ ଅନୁପ୍ରବେଶରେ ରୋକ୍ ଲାଗି ପାରନ୍ତା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ