ବ୍ରହ୍ମପୁର : ଗଞ୍ଜାମର ତାରାତାରିଣୀ ମନ୍ଦିର ରାସ୍ତାରେ ଭୂସ୍ଖଳନ, ଯାତାୟାତ ବନ୍ଦ । ପାହାଡ଼ରୁ ଖସିଲା ପଥର, ଉପୁଡ଼ିଲା ୨ଟି ଗଛ । ରାସ୍ତା ସଫା କାମ ଜାରି, ପାଗ ଅନୁକୂଳ ରହିଲେ ସନ୍ଧ୍ୟା ସୁଦ୍ଧା ଖୋଲିପାରେ ରାସ୍ତା । ବାତ୍ୟା ‘ଅକଭାନ୍ ’ ପ୍ରଭାବରେ ବର୍ଷା ପରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀ ମନ୍ଦିରକୁ ଯିବା ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ ହୋଇଛି । ଆଜି ସକାଳେ ପାହାଡ଼ ଉପରୁ କେତେକ ବଡ଼ ପଥର ଖସିବା ସହ ଦୁଇଟି ଗଛ ଉପୁଡ଼ି ପଡ଼ିଛି। ଫଳରେ ପାହାଡ଼ ପାଦଦେଶରୁ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଛି ।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଯାତାୟାତ ବନ୍ଦ ରଖାଯାଇଛି । ତୁରନ୍ତ ଜିଲ୍ଲା ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ପଥର ଓ ଗଛ ହଟାଇବା କାମ ଆରମ୍ଭ କରିଛି । ତେବେ ଏହା କୌଣସି ବଡ଼ଧରଣର ଭୂସ୍ଖଳନ ନୁହେଁ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତିଭାସନ ସ୍ପଷ୍ଟ କରିଛନ୍ତି । କଳିଙ୍ଗ ଟିଭିକୁ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ କହିଛନ୍ତି, ବର୍ଷା ସମୟରେ ପାହାଡ଼ରୁ କେତେକ ଢିଲା ପଥର ଖସିପଡ଼ିଛି । ଏଥିସହ ଦୁଇଟି ଗଛ ଉପୁଡ଼ିଛି । ତେବେ ଆଗୁଆ ରାସ୍ତା ବନ୍ଦ କରାଯାଇଥିବାରୁ କୌଣସି ବଡ଼ ଅଘଟଣ ଘଟିନାହିଁ । ପ୍ରଶାସନିକ ଟିମ୍ ସକାଳୁ ସେଠାରେ ମୁତୟନ ରହିଛି ଏବଂ ତୁରନ୍ତ ରାସ୍ତା ସଫା କରାଯାଉଛି । ପାହାଡ଼ିଆ ରାସ୍ତାରେ ପଥର ଖସିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପାହାଡ଼ ସୁରକ୍ଷା କାମ ଚାଲିଛି । ପାଗ ଓ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଆଜି ସନ୍ଧ୍ୟା ସୁଦ୍ଧା ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେପଟେ ବାତ୍ୟା ପାଇଁ ଗତକାଲିଠାରୁ କେତେକ ସମ୍ବେଦନଶୀଳ ପାହାଡ଼ିଆ ରାସ୍ତାରେ ଯାତାୟାତ ବନ୍ଦ ରଖାଯାଇଛି । କଳିଙ୍ଗା ଘାଟି ଓ ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ମଧ୍ୟ କଟକଣା ଜାରି ରହିଛି । କଳିଙ୍ଗା ଘାଟିରେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଅଘଟଣର ସୂଚନା ମିଳିନଥିବା ଜିଲ୍ଲାପାଳ କହିଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ପାଟ୍ରୋଲିଂ ଟିମ୍ ଓ ଜାତୀୟ ରାଜପଥ ବିଭାଗର ଅଧିକାରୀମାନେ ଘାଟି ରାସ୍ତା ଯାଞ୍ଚ କରିବେ । ସେମାନଙ୍କ ରିପୋର୍ଟ ମିଳିବା ପରେ ହିଁ ରାସ୍ତା ଖୋଲିବା ନେଇ ନିଷ୍ପତ୍ତି ହେବ ।
ସେହିପରି ତପ୍ତପାଣି ଘାଟି ରାସ୍ତା ଉପରେ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ଭୂସ୍ଖଳନ ଆଶଙ୍କା ଦେଖାଦେଲେ ତୁରନ୍ତ ଯାତାୟାତ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ବାତ୍ୟା ପରେ ବର୍ଷା କମିଥିଲେ ମଧ୍ୟ ପାହାଡ଼ିଆ ରାସ୍ତାରେ ପଥର ଖସିବାର ଆଶଙ୍କା ରହିଛି । ତେଣୁ ପ୍ରଶାସନର ଅନୁମତି ମିଳିବା ପର୍ଯ୍ୟନ୍ତ ଏହି ରାସ୍ତାଗୁଡ଼ିକରେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି ।
