Sunday, September 27, 2026
23.6 C
Odisha

    ଗମ୍ଭୀରଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣଙ୍କୁ ଗୁରୁ ଦାୟିତ୍ବ: ଇଂଲଣ୍ଡ ଶୃଙ୍ଖଳା ପ୍ରସ୍ତୁତିର ତଦାରଖ କରିବେ

    ଆଗକୁ ପଢନ୍ତୁ

    ମୁମ୍ବାଇ: ମା’ଙ୍କ ହୃଦ୍‌ଘାତ ପାଇଁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ବଦେଶ ଫେରିବାକୁ ବାଧ୍ୟ ହେବା ପରେ ଇଂଲଣ୍ଡ ଶୃଙ୍ଖଳା ଲାଗି ଭାରତୀୟ ଦଳର ପ୍ରସ୍ତୁତିକୁ ତଦାରଖ କରିବେ ପୂର୍ବତନ ନିର୍ଭରଯୋଗ୍ୟ ବ୍ୟାଟର୍ ଭିଭିଏସ୍ ଲକ୍ଷ୍ମଣ। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିର ମୁଖ୍ୟ ଥିବା ଲକ୍ଷ୍ମଣ ସଂପ୍ରତି ଭାରତୀୟ ୧୯ବର୍ଷରୁ କମ୍ ଦଳର ଇଂଲଣ୍ଡ ଗସ୍ତ ଲାଗି ଲଣ୍ଡନରେ ଅଛନ୍ତି। ଏହି ଦଳର ମାର୍ଗଦର୍ଶନ କରୁଛନ୍ତି। ଏଥିରୁ କିଛି ସମୟ ବାହାର କରି ଭାରତୀୟ ଦଳ ପାଇଁ ବିନିଯୋଗ କରିବେ ଲକ୍ଷ୍ମଣ।ସୂଚନା ଅନୁସାରେ ଭାରତୀୟ ୧୯ବର୍ଷରୁ କମ୍ ଦଳ ଇଂଲଣ୍ଡ ୧୯ବର୍ଷରୁ କମ୍ ଦଳ ବିପକ୍ଷରେ ପାଞ୍ଚଟି ଦିନିକିଆ ଓ ଦୁଇଟି ଅଣଆନୁଷ୍ଠାନିକ ଟେଷ୍ଟ୍ ଖେଳିବାର ଅଛି। ଏହି ଶୃଙ୍ଖଳାର ପ୍ରାକ୍ ପ୍ରସ୍ତୁତି ଲାଗି ଲକ୍ଷ୍ମଣ ସେଠାକୁ ଯାଇଥିଲା ବେଳେ ତାଙ୍କ ତତ୍ତ୍ବାବଧାନରେ ଭାରତୀୟ ଦଳ କିଛି ଦିନ ପ୍ରସ୍ତୁତି କରିବ ବୋଲି ଜଣାପଡ଼ିଛି। କାରଣ ଭାରତ ୧୯ବର୍ଷରୁ କମ୍ ଓ ଇଂଲଣ୍ଡ ୧୯ବର୍ଷରୁ କମ୍ ଶୃଙ୍ଖଳା ଚଳିତ ଜୁନ୍ ୨୭ରୁ ଆରମ୍ଭ ହେବାର ଅଛି। ଅନ୍ୟପକ୍ଷରେ ଭାରତ-ଇଂଲଣ୍ଡ ‌ପ୍ରଥମ ଟେଷ୍ଟ୍ ଲିଡ୍‌ସରେ ୨୦ ତାରିଖରୁ ଆରମ୍ଭ ହେବ। ଉଭୟ ମ୍ୟାଚ୍ ଭିତରେ ୭ ଦିନର ବ୍ୟବଧାନ ଥିବାରୁ ଭାରତୀୟ ବରିଷ୍ଠ ଦଳ ସହ କିଛି ଦିନ କାମ କରିବାକୁ ଲକ୍ଷ୍ମଣଙ୍କୁ ବିସିସିଆଇ କହିଛି। ଗମ୍ଭୀରଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବାର ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଲକ୍ଷ୍ମଣ ଏକ ଦ୍ବିତୀୟସ୍ତରୀୟ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ସେ ମଧ୍ୟ ଗତବର୍ଷ ଜୁଲାଇରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତୀୟ ଦଳର କାମଚଳା ପ୍ରଶିକ୍ଷକ ଥିଲେ। ସେହି ଗସ୍ତରେ ଏବେକାର ଟେଷ୍ଟ୍ ଅଧିନାୟକ ଶୁବମନ ଗିଲ୍ ପ୍ରଥମ ଥର ଲାଗି କୌଣସି ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ସେପଟେ ଗମ୍ଭୀରଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ସେ ଏବେବି ଆଇସିୟୁରେ ଅଛନ୍ତି। ସବୁକିଛି ଠିକ୍ ରହିଲେ ଗମ୍ଭୀର ଆସନ୍ତା ୧୯ କିମ୍ବା ୨୦ରେ ଦଳ ସହ‌ ଯୋଗଦେଇପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ