Thursday, April 2, 2026
38.5 C
Odisha

    ଗାଁ ଦାଣ୍ଡରେ କୁମ୍ଭୀର ଖେଳିଲେଣି, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢ଼ି ପାଣି ଭୟକୁ ବଳିଗଲା କୁମ୍ଭୀର ସାଙ୍ଗକୁ ଜନ୍ତୁଜୁନ୍ତା ଟେନସନ୍

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା: କୁମ୍ଭୀର ପାଟିକୁ ଆଁ କରି ରହିଛି । ଶିକାର ଆଶାରେ ଟହଲ ମାରୁଛି । ବନ୍ୟାଜଳରେ ଭାସି ଆସିଛନ୍ତି ମାଳ ମାଳ କୁମ୍ଭୀର । ସେପଟେ ଘର ବୁଡ଼ି ପାଣି ଆଣ୍ଠୁଏ । ଲୋକେ ରାସ୍ତାରେ ପାଦ ପକେଇପାରୁନାହାନ୍ତି । ହଁ ଦର୍ଶକବନ୍ଧୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖୁଛନ୍ତି ମଗର ମହାରାଜ । ସାହାଯ୍ୟ କରିବା ପାଇଁ ନୁହେଁ ଶିକାର କରିବା ପାଇଁ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢ଼ି ପାଣି ଭୟକୁ ବଳିଗଲା କୁମ୍ଭୀର ସାଙ୍ଗକୁ ଜନ୍ତୁଜୁନ୍ତା ଟେନସନ୍ । ବ୍ରାହ୍ମଣୀ ଓ ଖରସ୍ରୋତା ଆଦି ନଦୀ କୂଳ ଲଂଘିବାରୁ ଆଳି ଓ ରାଜକନିକା ଆଦି ଅଞ୍ଚଳର ବହୁ ଗାଁରେ ଏବେ ସଂଗୀନ ପରିସ୍ଥିତି । ଗାଁ ଦାଣ୍ଡରେ କୁମ୍ଭୀର ଖେଳିଲେଣି । ସାହି ସାହିରେ କୁମ୍ଭୀର ଆତଙ୍କ ସୃଷ୍ଟି ହେଉଥିବା ବେଳେ ଚାଷୀମାନେ ମଧ୍ୟ ଚାଷଜମିକୁ ଯିବା ପାଇଁ ଡରିଲେଣି । ମାଳ ମାଳ କୁମ୍ଭୀର ଭାସିବା ଦେଖି, ସବୁଠି କୋକୁଆ ଭୟ ଘାରିଲାଣି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଚଉଦକୁଲାଟ ଅଞ୍ଚଳରେ ବ୍ରାହ୍ମଣୀରେ ବଢ଼ି ଆସିବା ପରେ, ଘାଗରା, ଅଳପୁଆ, ବଲୁରିଆ, ପେଣ୍ଠପାଳ, କୂଳସାହି ଆଦି ଗାଁ ଗାଁରେ କୁମ୍ଭୀର ଆତଙ୍କ ସୃଷ୍ଟି ହୋଇଛି ।
    ହୀରାକୁଦ ଡ୍ୟାମର ଗେଟ ଖୋଲା ହେଲେ କେନ୍ଦ୍ରାପଡ଼ାବାସୀଙ୍କ ଦେହ ଥରେ । କାରଣ କେନ୍ଦ୍ରାପଡ଼ାର ଅନେକ ଅଞ୍ଚଳରେ ବନ୍ୟା ପାଣି ପଶି ସେମାନଙ୍କୁ ପ୍ରଭାବିତ କରେ । ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀ କୂଳ ଲଂଘିବା ପରେ ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ବାସୀଙ୍କର ଏବେ ସେଇ ଅବସ୍ଥା । ଖାଲି କୁମ୍ଭୀର ନୁହେଁ, ସାପ, ବିଛା ଆଦି ସରିସୃପ, ତା ସାଙ୍ଗକୁ ଶିଆଳ-ବିଲୁଆ । ଜମି ବାଡ଼ି, ବଣବୁଦା ଚାରିଆଡ଼େ ପାଣି ଭରିଯାଇଥିବାରୁ, ଉଚ୍ଚା ଜାଗାକୁ ଆଶ୍ରୟ ପାଇଁ ପଳାଇ ଆସୁଛନ୍ତି ଜନ୍ତୁଜୁନ୍ତା । ଖାଇବା ପିଇବାକୁ ନପାଇ ହନ୍ତସନ୍ତ ହେଉଥିବା ଲୋକଙ୍କ ଆଖିରୁ ଏହି ଜନ୍ତୁମାନେ ମଧ୍ୟ ନିଦ ଛଡେଇ ନେଉଛନ୍ତି ।

    ସେପଟେ ଲୋକମାନେ ଜଳବନ୍ଦୀ ଜୀବନ କାଟୁଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଆଳିର ବିଧାୟକ ପ୍ରତାପ ଦେବ। ସ୍ଥାନୀୟ ଓ ଜିଲା ପ୍ରଶାସନର ଉଦାସିନତାକୁ ଦାୟୀ କରିବା ସହ ଖୁବଶୀଘ୍ର ପ୍ରଭାବିତ ଅଞ୍ଚଳକୁ ବନ୍ୟା ଅଞ୍ଚଳ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପ୍ରତପ ଦେବ।

    ବଢିପାଣି ମାଡ଼ି ଆସିଲେ ଲୋକମାନେ କେତେ ଯେ ହୀନସ୍ତା ହେଉଥିବେ, ତାହା କେବଳ ବନ୍ୟା ପୀଡ଼ିତ ଲୋକ ହିଁ ଜାଣିଥିବେ । ଆଳିର ଧୋୟା ଅଞ୍ଚଳ, ପାଖାପାଖି ୧୦ଟି ପଞ୍ଚାୟତରେ କାହା ଘରେ ଚୁଲି ଜଳୁନି, ତ ଆଉ କିଏ ଅନ୍ଧାର ରାତିରେ ଉପର ମୁଣ୍ଡିଆ ଜାଗାରେ ଆଶ୍ରୟ ନେଉଛି । ଗୋରୁଗାଈ, ଛେଳି କୁକୁର, ସେଇଠି ଜାକିଜୁକି ହୋଇ ରାତି କାଟୁଛି ମଣିଷ । ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ କବେ ସରକାରୀ ସହାୟତା ପହଞ୍ଚୁଛି, ତାହା ଦେଖିବାକୁ ବାକି ରହିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ