ଅନେକ ଘରର ମୁଖ୍ୟ ଦ୍ଵାର ଉପରେ କିମ୍ବା ଶିବ ମନ୍ଦିରର ପ୍ରବେଶ ପଥରେ ଏକ ଭୟଙ୍କର ମୁଖାକୃତି ଲାଗିଥିବା ଦେଖିବାକୁ ମିଳେ। ବଡ଼ ବଡ଼ ଆଖି, ତୀକ୍ଷ୍ଣ ଦାନ୍ତ ଓ ଭୟଙ୍କର ଚେହେରା ଥିବା ଏହି ଆକୃତିକୁ ଦେଖି ଅନେକେ ଏହାକୁ କୌଣସି ରାକ୍ଷସର ରୂପ ବୋଲି ଭାବନ୍ତି। କିନ୍ତୁ ଏହା କୌଣସି ରାକ୍ଷସ ନୁହେଁ, ବରଂ ଏହାକୁ ‘କୀର୍ତ୍ତିମୁଖ’ କୁହାଯାଏ।
କୀର୍ତ୍ତିମୁଖର କାହାଣୀ
ପୌରାଣିକ କଥା ଅନୁସାରେ, ରାକ୍ଷସରାଜ ଜଳନ୍ଧରଙ୍କ ସେନାପତି ରାହୁ ଏକଦା ଅହଂକାରରେ ଭଗବାନ ଶିବଙ୍କ ସମ୍ମୁଖରେ ମାତା ପାର୍ବତୀଙ୍କୁ ପାଇବାର ଇଚ୍ଛା ପ୍ରକାଶ କରିଥିଲା। ଏହା ଶୁଣି ମହାଦେବ କ୍ରୋଧିତ ହୋଇଥିଲେ। ତାଙ୍କ ତୃତୀୟ ନୟନରୁ ସିଂହ ଭଳି ମୁଖ ଥିବା ଏକ ଭୟଙ୍କର ଓ କ୍ଷୁଧାର୍ତ୍ତ ଜୀବ ସୃଷ୍ଟି ହୋଇଥିଲା।
ସେହି ଭୟଙ୍କର ଜୀବକୁ ଦେଖି ରାହୁ ଭୟଭୀତ ହୋଇ ଶିବଙ୍କ ନିକଟରେ କ୍ଷମା ମାଗିଥିଲା। ମହାଦେବ ତାକୁ କ୍ଷମା କରିଦେଇଥିଲେ। କିନ୍ତୁ ଏହାପରେ ଉକ୍ତ ଜୀବଟି ନିଜର ପ୍ରବଳ ଭୋକ ମେଣ୍ଟାଇବା ପାଇଁ ଶିବଙ୍କୁ ଖାଦ୍ୟ ମାଗିଥିଲା। ଏହା ଶୁଣି ମହାଦେବ ତାକୁ ନିଜ ଶରୀର ଖାଇବାକୁ ଆଦେଶ ଦେଇଥିଲେ। ଶିବଙ୍କ ଆଦେଶ ପାଳନ କରି ଜୀବଟି ନିଜର ଗୋଡ଼ରୁ ଶରୀର ଖାଇବା ଆରମ୍ଭ କରିଥିଲା। ଶେଷରେ କେବଳ ତା’ର ମୁହଁଟି ରହିଯାଇଥିଲା। ଜୀବଟିର ଏଭଳି ଆତ୍ମସମର୍ପଣ ଓ ଆଜ୍ଞାପାଳନରେ ମହାଦେବ ପ୍ରସନ୍ନ ହୋଇଥିଲେ। ସେ ତାକୁ ‘କୀର୍ତ୍ତିମୁଖ’ ନାମ ଦେଇଥିଲେ। ଏହାସହ ସର୍ବଦା ମନ୍ଦିରର ଦ୍ୱାରରେ ରହିବାର ବରଦାନ ମଧ୍ୟ ଦେଇଥିଲେ। କୀର୍ତ୍ତିମୁଖର ଅର୍ଥ ହେଉଛି ମହିମାମୟ ମୁଖ।
ଧାର୍ମିକ ମାନ୍ୟତା ଅନୁସାରେ, କୀର୍ତ୍ତିମୁଖକୁ ଏକ ରକ୍ଷାକର୍ତ୍ତା ଭାବେ ଗ୍ରହଣ କରାଯାଏ। ଘରର ମୁଖ୍ୟ ଦ୍ୱାରରେ ଏହାକୁ ଲଗାଇଲେ ଖରାପ ନଜର, ନକରାତ୍ମକ ଶକ୍ତି ଓ ଅଶୁଭ ପ୍ରଭାବରୁ ଘର ସୁରକ୍ଷିତ ରହେ ବୋଲି ବିଶ୍ୱାସ ରହିଛି। ସେହିପରି ମନ୍ଦିରରେ ଏହା ଅହଂକାର, ଲୋଭ ଓ ଖରାପ ଭାବନାକୁ ତ୍ୟାଗ କରି ଶୁଦ୍ଧ ମନରେ ଈଶ୍ୱରଙ୍କ ନିକଟକୁ ଯିବାର ଆଧ୍ୟାତ୍ମିକ ବାର୍ତ୍ତା ଦେଇଥାଏ।
