ଗଜପତି : ଘର ଭିତରେ ପଶିଗଲା ଦ୍ରୁତଗାମୀ କାର୍ । ଫଳରେ ଘରେ ଥିବା ବହୁ ଆସବାପତ୍ର ଜିନିଷ ଓ ୨ ସିଲେଇ ମେସିନ ନଷ୍ଟ । ତେବେ ଅନ୍ୟ ଏକ କୋଠରୀରେ ଶୋଇଥିବା ପରିବାରର ୪ ଜଣ ବର୍ତ୍ତି ଯାଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ପିଣ୍ଡିକି ଗାଁ ରାସ୍ତାରେ ।
ଆଜି ଭୋରରେ ଏକ କାର ମୋହନାରୁ ଚାନ୍ଦିପୁଟ ଅଞ୍ଚଳକୁ ଯାଉଥିଲା । କାରଟି ଭାରସାମ୍ୟ ହରାଇ ପିଣ୍ଡିକି ଗାଁ ରାସ୍ତା କଡରେ ଥିବା ହରପ୍ରସାଦ ବିଷୋୟୀଙ୍କ ଘର ଭିତରେ ପଶି ଥିଲା । ଘରେ ଥିବା କିରାଣି ଜିନିଷ, ଆସବାବ ପତ୍ର ଓ ସିଲେଇ ମେସିନ ଭାଙ୍ଗିଯାଇଛି । ତେବେ ସୌଭାଗ୍ୟ ବଶତଃ ହରପ୍ରସାଦଙ୍କ ସମେତ ପତ୍ନୀ ଓ ପୁଅ ଝିଅ ପଛପଟେ ଥିବା ଅନ୍ୟ ଏକ ଘରେ ଶୋଇଥିବା ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।
ବିଭିନ୍ନ ସ୍ଥ।ନରୁ ଋଣ କରି ହରପ୍ରସାଦ ଘର ଭିତରେ ହିଁ ଛୋଟିଆ ଦୋକାନ କରିଥିଲେ । ତେଣୁ କିଭଳି ଋଣ ସୁଝିବେ ବୋଲି କହିଛନ୍ତି ଘର ମାଲିକ । ତେବେ ଦୁର୍ଘଟଣା ପରେ କାର ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ଖବର ପାଇ ମୋହନା ପୋଲିସ ଘଟଣାର ତଦନ୍ତ କରୁଛି ।
