ପୁରୀ : ଆଜି ହେଉଛି ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥୀ ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଅନୁକୂଳ ହେବ । ଅପରାହ୍ଣରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ବିଜେ ହେବା ପରେ ଆରମ୍ଭ ହେବ ରଥ ନିର୍ମାଣ । ସେହିପରି ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଚଳଚଞ୍ଚଳ ହେବ ଶ୍ରୀକ୍ଷେତ୍ର । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।
କଳି ଯୁଗରେ ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ରକ୍ଷା ପାଇଁ ନୌକା ବିହାର କରିଥାନ୍ତି । ଶ୍ରୀମନ୍ଦିରରେ ଦ୍ଵି ପ୍ରହର ଧୂପ ସରିବା ପରେ ଠାକୁର ମାନେ ବିମାନକୁ ବିଜେ କରିବେ । ଶ୍ରୀବିଗ୍ରହଙ୍କ ଚଳନ୍ତି ପ୍ରତିମା ମଦନ ମୋହନ , ରାମ ,କୃଷ୍ଣ, ଶ୍ରୀଦେବୀ ,ଭୂଦେବୀ ଓ ଶ୍ରୀକ୍ଷେତ୍ରରେ ପଞ୍ଚ ମହାଦେବ ବିମାନ ଓ ପାଲିଙ୍କିରେ ବସି ନୌକା ବିହାର ବା ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ । ରାମକୃଷ୍ଣ ନନ୍ଦା ଚାପରେ ଓ ମଦନମୋହନ ଭଦ୍ରା ଚାପରେ ବିରାଜମାନ କରି ଜଳ କ୍ରୀଡା କରିବେ। ଅକ୍ଷୟ ତୃତୀୟାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ୪୨ ଦିନ ପାଳିତ ହୋଇଥାଏ । ଏହା ମଧ୍ୟରେ ବାହାର ଚନ୍ଦନ ଯାତ୍ରା ୨୧ ଦିନ ଓ ଭିତରେ ଚନ୍ଦନ ଯାତ୍ରା ୨୧ ଦିନ । ମଣିଷଙ୍କ ପରି ରୌଦ୍ର ତାପରୁ ମୁକ୍ତି ପାଇବା ପାଇଁ ଶରୀରକୁ ଶୀତଳତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି । ପ୍ରତ୍ୟେକ ଦିନ ଦୁଇ ଥର ଅର୍ଥାତ୍ ଥରେ ଦିନ ଚାପ୍ ଓ ଥରେ ରାତି ଚାପ୍ ହୋଇଥାଏ । ନୌକା ବିହାର କରି ଠାକୁର ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ କୁଣ୍ଡରେ ପୁନଃ ସ୍ନାନ କରି ଜଳକ୍ରୀଡା କରିଥାନ୍ତି । ବେଶ୍ ପରେ ମାଣ୍ଡୁଅ,କାକରା , ନାନମାଳ ବା କେଳି ,ରସାବଳି ପଟ ଇତ୍ୟାଦି ଭୋଗ କରାଯିବ ।
