Tuesday, April 7, 2026
35.3 C
Odisha

    ଚଳିତ ମାସ ନିଆଁ ବର୍ଷିବ, ଜୁନ ଯାଏ ଦେଶ ବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମତାପ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଏପ୍ରିଲରେ ନିଆଁ ବର୍ଷିବ, ଅସହ୍ୟ ତାତି ଅନୁଭୂତ ହେବ। ରାଜ୍ୟରେ ଗ୍ରୀଷ୍ମଲହରୀ ସ୍ବାଭାବିକରୁ ଅଧିକ ଦିନ ରହିବ; ପ୍ରଚଣ୍ଡ ଖରା ହେବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଅଧିକ ରହିବ। ଉପକୂଳବର୍ତ୍ତୀ ଜିଲାରେ ତାତି ସାମାନ୍ୟ କମ୍ ରହିପାରେ। ଚଳିତ ମାସରେ ଆଭ୍ୟନ୍ତରୀଣ କାଳବୈଶାଖୀ ଜନିତ ଝଡ଼ବର୍ଷା କମ ରହିବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପରିମାଣ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଆସନ୍ତା ୫ରୁ ୬ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ସାରା ଦେଶରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। କେନ୍ଦ୍ରୀୟ ଏବଂ ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମପ୍ରବାହ ହେବ। ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଭାରତର ପଶ୍ଚିମ ଦ୍ବୀପପୁଞ୍ଜ, ପୂର୍ବ-କେନ୍ଦ୍ରୀୟ ଏବଂ ପୂର୍ବ ଭାରତର କିଛି ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ରହିବ।ଏପ୍ରିଲରେ ଦକ୍ଷିଣ ଦ୍ବୀପପୁଞ୍ଜ, ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ ରହିବା ସହିତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ପାରଦ ସ୍ବାଭାବିକରୁ ଅଧିକ ରହିବ। ଏପ୍ରିଲରୁ ଜୁନ୍ ମଧ୍ୟରେ ଉତ୍ତର ଭାରତ, ପୂର୍ବ ଦ୍ବୀପପୁଞ୍ଜ, କେନ୍ଦ୍ରୀୟ ଅଞ୍ଚଳ, ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ଗ୍ରୀଷ୍ମଲହରୀ ଲାଗି ରହିବ।

    ଚଳିତ ମାସରେ ପୂର୍ବ ଭାରତ, କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ଅଧିକ ରହିବା ସମ୍ଭାବନା ରହିଛି। ଏପ୍ରିଲରୁ ଜୁନ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବା ସହିତ ଅବଶିଷ୍ଟ ସ୍ଥାନରେ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି। ଦେଶରେ ବର୍ଷା ସ୍ବାଭାବିକ ରହିବ। ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ, ପଶ୍ଚିମ-କେନ୍ଦ୍ରୀୟ ଭାରତରେ ବର୍ଷା ପରିମାଣ ସ୍ବାଭାବିକ କିମ୍ବା ସ୍ବାଭାବିକରୁ ଅଧିକ ରହିପାରେ। ଅବଶିଷ୍ଟ ଅଞ୍ଚଳରେ ବର୍ଷା ସ୍ବାଭାବିକଠାରୁ କମ ରହିପାରେ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ସ୍ବାଭାବିକଠାରୁ ଅଧିକ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକର ଉତ୍ତର ଅଂଶ ଏବଂ ତାମିଲନାଡୁ ଅନ୍ତର୍ଭୁକ୍ତ ରହିଛି। ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବର କିଛି ସ୍ଥାନ ବ୍ୟତୀତ ଯେଉଁଠାରେ ତାପମାତ୍ରା ସ୍ୱାଭାବିକ କିମ୍ବା ସାମାନ୍ୟ କମ ହୋଇପାରେ।

    ଅନ୍ୟପକ୍ଷରେ ଗତ କିଛିଦିନ ହେଲା, ରାଜ୍ୟରେ ଗ୍ରୀଷ୍ମପ୍ରବାହ ଲାଗି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଭୁବନେଶ୍ବରରେ ପାରଦ ୪୦ଡିଗ୍ରୀ ଟପିଥିଲା। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସମ୍ଭାବନା ରହିଛି। ଏହାଫଳରେ ତାପମାତ୍ରା କମିବା ସମ୍ଭାବନା ରହିଛି।ଦକ୍ଷିଣ ଛତିଶଗଡ଼ ଏବଂ ମଧ୍ୟ ମହାରାଷ୍ଟ୍ର, ବିଦର୍ଭ ମଧ୍ୟରେ ଏକ ନିମ୍ନଚାପରେଖା ଏବଂ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ ଏବଂ ଅନୁଗୋଳ ଜିଲାରେ ବଜ୍ରପାତ ସହିତ ଝଡ଼ବର୍ଷା ହୋଇପାରେ। କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ