ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଇନ୍ଦୋରରେ ଦୁଃଖଦ ଦୁର୍ଘଟଣା ଘଟିଛି । ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ବ୍ରଜେଶ୍ବରୀ ଆନେକ୍ସ ଆବାସିକ ଅଞ୍ଚଳରେ ଥିବା ଗୋଟିଏ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ସୂଚନାନୁଯାୟୀ, ବ୍ରଜେଶ୍ବରୀ ଆନେକ୍ସ କଲୋନୀର ଏକ ଘରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ଭୋର ପ୍ରାୟ ୩ଟା ୩୦ ରୁ ୪ ଟା ୩୦ ମଧ୍ୟରେ ଘଟିଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ସମୟରେ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନିଆଁକୁ ନିୟନ୍ତ୍ରଣ କରାଯିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ଘରର ଦୁଇଟି ମହଲାକୁ ଖାଲି କରାଯାଇଥିବାବେଳେ ଅନ୍ୟ ଏକ ମହଲାରେ ଆଉ କେହି ଫସି ରହିଛନ୍ତି ନାଁ ନାହିଁ ସେସବୁକୁ ଯାଞ୍ଚ କରାଯାଉଛି । ଇଲୋକ୍ଟ୍ରୋନିକ୍ସ ଗାଡ଼ି ଚାର୍ଜ ହେଉଥିବା ସମୟରେ ଚାର୍ଜି ପଏଣ୍ଟରେ ବିସ୍ଫୋରଣ ଘଟିଥିଲା ଏବଂ ଘରେ ନିଆଁ ବ୍ୟାପିଯାଇଥିଲା ବୋଲି ଇନ୍ଦୋର ପୋଲିସ କହିଛନ୍ତି । ଏବେ ମଧ୍ୟ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ କରାଯାଉଛି । ଏହାରି ମଧ୍ୟରେ ଏସପି କହିଛନ୍ତି ଯେ, ଘର ଭିତରେ ଥିବା ୧୦ରୁ ଅଧିକ ଟାଙ୍କି ବିସ୍ଫୋରଣ ହେବା ପରେ ପରିସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା । ଯାହାଦ୍ବାରା ନିଆଁ ଆହୁରି ବ୍ୟାପିଯାଇଥିଲା ।
ଅନ୍ୟପଟେ ଅଗ୍ନିକାଣ୍ଡ ଘଟିଥିବା ଘରଟି ପଲିମର ବ୍ୟବସାୟ କରୁଥିବା ମନୋଜ ପୁଗାଲିଆଙ୍କର ବୋଲି କୁହାଯାଉଛି । ତିନି ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲାବେଳେ ଅନ୍ୟ ଛଅ ଜଣଙ୍କ ଜୀବନ ହରାଇଛନ୍ତି । ବର୍ତ୍ତମାନ ପ୍ରଶାସନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବାକୁ ଚେଷ୍ଟା କରୁଛି ।
