Thursday, April 9, 2026
27.5 C
Odisha

    ଛାତ୍ରଛାତ୍ରୀ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ଚାପ ନୁହେଁ; ଧୈର୍ଯ୍ୟ ରଖି ପାଠ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପ୍ରତିବର୍ଷ ଫେବୃଆରୀ, ମାର୍ଚ୍ଚ ଆସିଲେ; ସ୍କୁଲ୍, କଲେଜରେ ପରୀକ୍ଷା ସମୟ ଆସିଯାଏ। ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ୨୦୨୬ ଶିକ୍ଷାବର୍ଷର ପରୀକ୍ଷାର୍ଥୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ୟୁନିଟ୍-୧ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଛନ୍ତି।

    ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟର ପ୍ରସ୍ତୁତି ଏବଂ ପାଠପଢ଼ା ସମୟର ପ୍ରସ୍ତୁତି ସମ୍ପର୍କରେ ପରାମର୍ଶ ଦେଇଥିଲେ। ଚାପରେ ନୁହେଁ, ଧୈର୍ଯ୍ୟ ରଖି ପାଠ ପଢ଼ିଲେ ପରୀକ୍ଷାର ପ୍ରସ୍ତୁତି ଉଚ୍ଚକୋଟୀର ହେବ। ନିଜ ଆତ୍ମବିଶ୍ବାସ ହିଁ ସଫଳତାର ପ୍ରମୁଖ ଚାବିକାଠି ବୋଲି କହି ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ବାସର ତତ୍ତ୍ବ ବୁଝାଇଥିଲେ। ସେ କହିଥିଲେ, ପାଠ ପଢ଼ିବା ପାଇଁ ଆରାମଦାୟକ ପରିବେଶର ଆବଶ୍ୟକତା ନାହିଁ; ପାଠ ପଢ଼ିବା ପାଇଁ ପ୍ରକୃତ ଇଚ୍ଛାଶକ୍ତି ଓ ମନୋବୃତ୍ତି ଥିଲେ ସବୁ ପରିବେଶ ଆରାମଦାୟକ। ମୁଖ୍ୟମନ୍ତ୍ରୀ ପିଲାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂଘର୍ଷ, ସଫଳତା ଏବଂ ଲାଇଫ୍ ସ୍କିଲ୍ ବିଷୟରେ ବୁଝାଇ କହିଲେ, ଜୀବନ ଜିଇବା ପାଇଁ ସବୁବେଳେ ଭବିଷ୍ୟତ କଥା ଚିନ୍ତା କରି ଆଗକୁ ବଢ଼ିବା ଉଚିତ।
    ପରୀକ୍ଷାର ଫଳାଫଳରେ ଜୀବନର ସଫଳତାକୁ ନ ମାପି, ଜ୍ଞାନ ଆହରଣ କରିବାର ମାର୍ଗକୁ ବାଛିବା ଆବଶ୍ୟକ। ଜ୍ଞାନ ଆଗକୁ ବଢ଼ିବାର ଜୀବନ କୌଶଳ ପ୍ରଦାନ କରିବ। ପରୀକ୍ଷା ପାଇଁ ବିଚଳିତ ନ ହୋଇ ଏହାକୁ ଆମେ ହସ ହସ ମୁହଁରେ ସାମ୍ନା କରିବା ଓ ଆଗକୁ ବଢ଼ିବା। ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି। ତୁମମାନଙ୍କୁ ନିଜ ପରିଶ୍ରମର ମୂଲ୍ୟ ନିଶ୍ଚିତ ଭାବରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସବୁ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ସଫଳତା କାମନା କରିଛନ୍ତି। ଅଭିଭାବକଙ୍କୁ ପରାମର୍ଶ ଦେଇ ପିଲାଙ୍କୁ କ୍ଷମତା, ଯୋଗ୍ୟତା ଓ ରୁଚି ଅନୁଯାୟୀ ପ୍ରେରଣା ଦିଅନ୍ତୁ ବୋଲି କହିଥିଲେ। ପିଲାଙ୍କ ଚାରିତ୍ରିକ ବିକାଶ, ଶୃଙ୍ଖଳା ଜ୍ଞାନ ନିଜ ଘରେ, ନିଜ ପାରିବାରିକ ପରିବେଶରେ ହିଁ ବୃଦ୍ଧି ହୁଏ। ଏଣୁ ପିଲାଦିନରୁ ହିଁ ସେମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରନ୍ତୁ। ଦେଖିବେ, ପ୍ରତ୍ୟେକ ଶିଶୁ ଜଣେ ଉଦୀୟମାନ ଛାତ୍ର ଭାବେ ଉଭା ହେବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓସେପା ପ୍ରକଳ୍ପ ନିର୍ଦେଶିକା ଅନନ୍ୟା ଦାସ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ