Monday, November 16, 2026
19.8 C
Odisha

    ଛୁଟିଦିନରେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଟକାଉଛନ୍ତି ଅମଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :  ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟରେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ଦିନରାତି ଏକ କରି ଦେଉଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀ ଛୁଟିଦିନଗଡ଼ିକରେ ମଧ୍ୟ ଲୋକସେବା ଭବନରେ ବସି କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିକାଶ ଭିଜନ-୨୦୩୬କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶନାମା ଜାରି କରୁଛନ୍ତି, ତାହା କାର୍ଯ୍ୟକାରୀବେଳେ କେତେକ କ୍ଷେତ୍ରରେ ଅମଲାଙ୍କ ସ୍ତରରେ ଅଟକି ଯାଉଛି। ଫଳରେ ସରକାରଙ୍କ ବିକାଶର ରଥ ଆଗକୁ ଗଡ଼ିପାରୁ ନ ଥିବା ଜଣାଯାଇଛି।

    ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟଭାର ସମ୍ଭାଳିବା ପରେ ଓଡ଼ିଶାର ସାମୂହିକ ବିକାଶ ଲାଗି ଇତିମଧ୍ୟରେ ୬୪ଟି ବ୍ୟକ୍ତିଗତ ନିର୍ଦ୍ଦେଶନାମା ବିଭାଗୀୟ ସଚିବମାନଙ୍କୁ ପ୍ରଦାନ କଲେଣି। ଏହାବାଦ୍‌ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ୨୨୭ଟି ନିର୍ଦ୍ଦେଶନାମା ଅମଲାଙ୍କୁ ପ୍ରଦାନ କରିଛନ୍ତିି। ଏଠାରେ କେତୋଟି ଉଦାହରଣ ଦିଆଯାଇପାରେ ଯଥା, ସେଥିମଧ୍ୟରେ କେଉଁଠାରେ ମନ୍ତ୍ରୀଙ୍କୁ ‘ପ୍ରହରୀ ମନ୍ତ୍ରୀ’ ଭାବେ ଜିଲ୍ଲାସ୍ତରରେ ଘୋଷଣା କରିବାକୁ ସରକାର ଲକ୍ଷ୍ୟ ରଖିଥିବାବେଳେ ଅନ୍ୟ କେଉଁଠାରେ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ କାର୍ଯ୍ୟକାରିତା, ଗୁଟ୍‌ଖାକୁ ସମ୍ପୂର୍ଣ୍ଣ ନିଷେଧ କରିବା, ପୁରୀ ମହାନଗର ନିଗମକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ମହାନଦୀ ମୁହାଁଣରେ ନୂତନ ବନ୍ଦର ନିର୍ମାଣ କରିବା ଭଳି ଶତାଧିକ ବ୍ୟକ୍ତିଗତ ନୋଟ୍‌ଶିଟ୍‌ ପ୍ରଦାନ କଲେଣି। ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିର୍ଦ୍ଦେଶନାମା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ପରେ ମଙ୍ଗଳବାର ଏହାର ସଚିବସ୍ତରୀୟ ସମୀକ୍ଷା ବୈଠକ କରାଯିବାକୁ ରହିଛି।
    ଏ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ନିର୍ଦ୍ଦେଶକ(ଇ) ସୁଧାପ୍ରିୟା ଦାସ ସମସ୍ତ ବିଭାଗୀୟ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଉକ୍ତ ପତ୍ରର ଅବିକଳ ନକଲ ଛପା ଯାଇଛି। ସେ ଦର୍ଶାଇଛନ୍ତି, ମୁଖ୍ୟଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନ ୧୨ଟା ୩୦ମିନିଟ୍‌ରେ ଲୋକସେବାଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସେଥିରେ ପ୍ରଥମରେ ରହିଛି, ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ‘ୟୁଓଆଇ-ନୋଟ୍‌ଶିଟ୍‌’। ଏହା କେତେଦୂର ବିଭାଗୀୟ ସଚିବମାନେ କାର୍ଯ୍ୟକାରୀ କରିଛନ୍ତି ତାହାକୁ ତନ୍ନତନ୍ନ କରି ସମୀକ୍ଷା କରାଯିବ। ତଥ୍ୟ ଅନୁଯାୟୀ,ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ୬୪ଟି ବ୍ୟକ୍ତିଗତ ନୋଟ୍‌ଶିଟ୍‌ର କାର୍ଯ୍ୟକାରିତା ଓ ୨୨୭ଟି ପ୍ରକଳ୍ପ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମାର ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। କେଉଁ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ କେତେଦୂର ଅନୁପାଳନ କରିଛନ୍ତି ତାହାର ସମୀକ୍ଷା କରାଯିବ। ଏହାପରେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତାର ସମୀକ୍ଷା ସାଙ୍ଗକୁ କର୍ମଚାରୀଙ୍କ ‘ଓ୍ବାର୍କ ପାସ୍‌ ବୁକ୍‌’ କାର୍ଯ୍ୟକ୍ରମ କେତେଦୂର ଗଲା ତାହାର ମଧ୍ୟ ଆଲୋଚନା ହେବ। ଏହି ଅବସରରେ ବିଭାଗୀୟ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାର ଆକ୍ସନ ଟେକେନ ରିପୋର୍ଟ(ଏଟିଆର୍‌) ମଧ୍ୟ ସାଙ୍ଗରେ ଆଣିବାକୁ କୁହାଯାଇଛି।
    ଉଲ୍ଲେଖଯୋଗ୍ୟ, ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଇ ସରକାର ରାଜଭବନକୁ ଏବେ ଲୋକଭବନରେ ପରିଣତ କରିଛନ୍ତି। ଲୋକଙ୍କ କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବୈଠକରେ ଗୁରୁତ୍ୱ ଦେଉଛନ୍ତି। ଏପରି କି ପ୍ରତିମାସରେ ଅନ୍ତତଃ ଥରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଗୁହାରି ଶୁଣି ତା’ର ତ୍ୱରିତ୍‌ ସମାଧାନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ବିଳମ୍ବିତ କରାଇବାରେ ଅନେକ ପ୍ରଚେଷ୍ଟା ଲାଗି ରହିଥିବା ଭଳି ପ୍ରତୀୟମାନ ହେଉଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19.8 ° C
    19.8 °
    19.8 °
    69 %
    1.3kmh
    81 %
    Mon
    20 °
    Tue
    27 °
    Wed
    24 °
    Thu
    20 °
    Fri
    21 °

    ସମ୍ବନ୍ଧିତ