Saturday, February 28, 2026
33.9 C
Odisha

    ଜଣ୍ଡିସ ରୋଗରେ ଆକ୍ରାନ୍ତ ୧୭ ଜଣ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ପିପିଲି: ଡରାଉଛି ଜଣ୍ଡିସ । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଜଣକ ପରେ ଜଣେ ପାଖାପାଖି ୧୭ ଜଣ ଛାତ୍ରଛାତ୍ରୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବିଦ୍ୟାଳୟର ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଖାଇବା ଓ ବିଶୁଦ୍ଧ ପାନୀୟ ଜଳ ନମିଳିବା କାରଣରୁ ପିଲାଙ୍କୁ ଏହି ରୋଗ ହୋଇଥିବା ଅଭିଯୋଗ ହୋଇଛି ।

    ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନ ଠାରେ ଥିବା ରାଧାକାନ୍ତ ବିଦ୍ୟାପୀଠ । ଏଠାରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ମୋଟ ୫ଟି ଶ୍ରେଣୀରେ ୨୧୫ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାନ୍ଧିବା ସହିତ ରୋଷେଇ ଘର ପରିସର ଓ ବ୍ୟବହାର ହେଉଥିବା ରୋଷେଇ ସରଞ୍ଜାମ ଗୁଡିକୁ ସଫା ସୁତୁରା ରଖିବା ପାଇଁ ୨ ଜଣ ପାଚିକା ନିୟୋଜିତ ହୋଇଛନ୍ତି । ସେହିପରି ବିଦ୍ୟାଳୟ ପରିସର ସଫାସୁତୁରା ରଖିବା ସହିତ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସରକାରଙ୍କ ପକ୍ଷରୁ ୩ ଜଣ ଚପରାସୀ ନିୟୋଜିତ କରାଯାଇଥିଲେ ମଧ୍ୟ କର୍ମଚାରୀମାନେ ନିଜ କାମ ଠିକ ଭାବେ କରୁନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଜଣ୍ଡିସ ସଂକ୍ରମଣରେ ପିଡ଼ିତ ଛାତ୍ରଛାତ୍ରୀ ।

    ବିଦ୍ୟାଳୟର ପ୍ରବେଶ ପଥ କଡରେ ଏକ ଆବର୍ଜନା କୁଣ୍ଡ ରହିଛି, ଯାହା ବିଦ୍ୟାଳୟରେ ଅସ୍ବାସ୍ଥ୍ୟକର ବାତାବରଣ ସୃଷ୍ଟି କରୁଛି । ନୂଆ କୋଠାର ଦ୍ଵିତୀୟ ମହଲାରେ ଲଗାଯାଇଥିବା ୨ଟି ପାଣି ଟାଙ୍କି ଦୀର୍ଘଦିନ ହେବ ସଫା ହୋଇନାହିଁ । ଫଳରେ ଟ୍ୟାପରୁ ବାହରୁଥିବା ପାଣିରେ ଗୁଣ୍ଡ ଓ ଶିଉଳି ଭଳି ପଦାର୍ଥ ମିଶି ରହୁଥିବା ଜଣାପଡିଛି । ମଧ୍ୟାହ୍ନ ଭୋଜନ ବିତରଣ ହେଉଥିବା ସ୍ଥାନରେ ଟ୍ୟାପରୁ ପାଣି ବୋହି କାଦୁଅ ହୋଇଗଲାଣି । ପିଲାମାନେ ବିଦ୍ୟାଳୟ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ କରୁଛନ୍ତି । ଏପରିକି ପ୍ରତିଦିନ ପିଲାମାନେ ପୂର୍ବଦିନର ଅଇଁଠା ଉପରେ ବସି ଭୋଜନ କରୁଥିଲେ ମଧ୍ୟ ଏହାକୁ ସଫା କରାଯାଉ ନାହିଁ । ମଧ୍ୟାହ୍ନ ଭୋଜନ ପରେ ଅଇଁଠା ବାସନ ଗୁଡିକୁ ଭଲଭାବେ ସଫା କରାଯାଉନାହିଁ । ପିଲାମାନେ ଖାଇସାରି ହାତ ଧୋଉଥିବା ସ୍ଥାନରେ ଏକ ଅବର୍ଜନା କୁଣ୍ଡ ରହି ଦୁର୍ଗନ୍ଧ ହେଉଛି । ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ପାଇଁ ୪ ଲିଟରର ଆକ୍ବାଗାର୍ଡ ଲଗାଯାଇଥିବା ବେଳେ ମଧ୍ୟାହ୍ନ ଭୋଜନ ପରେ ଏକା ସାଙ୍ଗେ ଶତାଧିକ ପିଲାଙ୍କୁ ଏହି ପାଣି ଅଣ୍ଟୁ ନାହିଁ । ଫଳରେ ପିଲାମାନେ ପାଣି ଟାଙ୍କିର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଟ୍ୟାପରୁ ଗୋଳିଆ ପାଣି ବାହାରୁଥିବା ନେଇ ଛାତ୍ରଛାତ୍ରୀମାନେ ବାରମ୍ୱାର ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇଥିଲେ ମଧ୍ୟ ବିଦ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି ।

    ରାଧାକାନ୍ତ ବିଦ୍ୟାପୀଠରେ ପଢ଼ୁଥିବା ପଂଚୁପଲ୍ଲା, ଗୁଆଳିପଡା, ପାଂଚବାଟିଆ, ହୁମର, ଡେଲାଙ୍ଗ ଷ୍ଟେସନ ବଜାରର ପ୍ରାୟ ୧୭ରୁ ଉର୍ଦ୍ଧ୍ବ ପିଲା ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଘଟଣା ବିଷୟରେ ଜାଣିବା ପରେ ବିଦ୍ୟାଳକୁ ଆସି ଛାତ୍ରଛାତ୍ରୀମାନଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ପିଲାମାନଙ୍କୁ ଔଷଧ ଯୋଗାଇବା ସହିତ ଆଶାକର୍ମୀଙ୍କୁ ବିଦ୍ୟାଳୟକୁ ନିୟମିତ ପରିଦର୍ଶନ କରିବାକୁ କହିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଡାକ୍ତରୀ ଦଳ ବିଭିନ୍ନ ଗାଁରେ ପହଞ୍ଚି ଆକ୍ରାନ୍ତ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.9 ° C
    33.9 °
    33.9 °
    15 %
    3.6kmh
    8 %
    Sat
    33 °
    Sun
    37 °
    Mon
    37 °
    Tue
    37 °
    Wed
    38 °

    ସମ୍ବନ୍ଧିତ