ବାଲେଶ୍ଵର : କୋର୍ଟରେ ହାଜର ହେଲେ ଛାତ୍ରୀ ଆତ୍ମାହୁତି ଘଟଣାର ଅଭିଯୁକ୍ତ। ବାଲେଶ୍ଵର ଏଫଏମ ଅଟୋନୋମସ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ୪ ଅଭିଯୁକ୍ତଙ୍କୁ ବାଲେଶ୍ଵର ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇଛନ୍ତି। ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ଅଧ୍ୟାପକ ସମୀର ସାହୁ , ଛାତ୍ର ନେତା ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତି ପ୍ରକାଶ ବିଶ୍ଵାଳଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଛାତ୍ରୀ ଆତ୍ମାହୁତି ଘଟଣାରେ ୪ ଜଣ ବିଚାର ବିଭାଗୀୟ ହାଜତରେ ବିଚାରାଧୀନ କଏଦୀ ଭାବରେ ରହିଛନ୍ତି। କେସକୁ ତ୍ବରାନ୍ବିତ କରିବାକୁ ଏସଡିଜେଏମ ତଳ କୋର୍ଟରୁ ଜିଲ୍ଲା ଜର୍ଜଙ୍କ କୋର୍ଟଙ୍କ ବିଚାର ପାଇଁ ସ୍ଥାନାନ୍ତର କରିଛନ୍ତି ।
ସୂଚନା ଅନୁସାରେ ଗତ କିଛି ମାସ ତଳେ ମଧ୍ୟାହ୍ନରେ ଏଫଏମ କଲେଜ ପରିସରରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା ।
ଲାଇଫ ସପୋର୍ଟ ସିଷ୍ଟମରେ ରଖି ଚିକିତ୍ସା ଚାଲିଥିଲା । ୧୦ ଜଣିଆ ବିଶେଷଜ୍ଞ ଦଳ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଛାତ୍ରୀଙ୍କରଶ୍ବାସନଳୀ, ବୃକକ, ହୃତପିଣ୍ଡ ସମେତ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇପଡ଼ିଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଶେଷରେ ସେ ଜୀବନ ହାରିଥିଲେ ।