ଭୁବନେଶ୍ଵର : ଗୋଟିଏ ଦିନରେ ଦୁଇ ଦୁଇଟି ବଡ଼ ସମ୍ମାନ ପାଇଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ,ସାହିତ୍ୟିକ, ଶିକ୍ଷାବିତ ତଥା କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ । ତାଙ୍କୁ ‘ଓଡ଼ିଶା ସୃଜନ ଉତ୍କର୍ଷ ସଂମ୍ମାନ ଓ ବୈଷ୍ଣବ ପାଣି କଳା ସମ୍ମାନରେ ସମ୍ମାନୀତ କରାଯାଇଛି । ଗତକାଲି ଜୟଦେବ ଭବନ ଠାରେ ‘ଅଭିକ୍ଷା ଟ୍ରଷ୍ଟ’ ଆୟୋଜିତ ୧୩ତମ ଓଡ଼ିଶା ସୃଜନ ଉତ୍କର୍ଷ ସଂମ୍ମାନ ଉତ୍ସବ ୨୦୨୫ ପାଳିତ ହୋଇସାରିଛି । ଏଥିରେ ବିଜେପି ଉପସଭାପତି ଗୋଲକ ମହାପାତ୍ର ଇଦ୍ଘାଟକ ଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପଦ୍ମ ବିଭୂଷଣ ଶ୍ରୀ ସୁଦର୍ଶନ ସାହୁ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜୟା ସ୍ଵାମୀ ଓ ବିଶେଷ ଅତିଥିଭାବେ କ୍ୟାପ୍ଟେନ୍ ସଞ୍ଜିବ୍ କୁମାର ମୁଦୁଲି ଯୋଗଦାନ କରିଥିଲେ ।
ଏହି ଉତ୍ସବରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କୁ ଚିକିତ୍ସା ବିଜ୍ଞାନ ପାଇଁ ଆଜୀବନ ସାଧନା ସମ୍ମାନରେ ସମ୍ମାନୀତ କରାଗଲା । ଏହା ସହିତ ଦୃଶ୍ୟକଳା କ୍ଷେତ୍ରରେ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ପଦ୍ୟୁମ୍ନ ଦାଶ, ସଂଗୀତ କ୍ଷେତ୍ରରେ ବିକାଶ ଦାଶ, ସାହିତ୍ୟ ଓ ସିନେ ଅଭିନେତା କ୍ଷେତ୍ରରେ ଦେବପ୍ରସାଦ ଦାଶ, ସିନେମା କ୍ଷେତ୍ରରେ ଉତ୍ସଗୀକୃତ ଶ୍ରେଷ୍ଠ ଅବଦାନ ପାଇଁ ଶ୍ରେଷ୍ଠ ନିର୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଖଟୁଆଙ୍କୁ ଓଡିଶା ସୃଜନ ଉତ୍କର୍ଷ ସଂମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । ଏହାପରେ ଆଠ ଜଣ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ସମ୍ମାନୀତ ଏବଂ ସମ୍ବଦ୍ଧିତ କରାଗଲା । ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ମାନସୀ ଶତପଥିଙ୍କ ତତ୍ତ୍ୱାବଧାନତାରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।