Wednesday, September 16, 2026
31.5 C
Odisha

    ଡାଭୋସ୍‌ରେ ଗ୍ରୀନଲାଣ୍ଡ ଦାବି ଦୋହରାଇଲେ ଟ୍ରମ୍ପ

    ଆଗକୁ ପଢନ୍ତୁ

    ଡାଭୋସ୍‌  : ସୁଇଜରଲ୍ୟାଣ୍ଡର ଡାଭୋସ୍‌ରେ ଚାଲିଥିବା ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀରେ ବୁଧବାର ଉଦ୍‌ବୋଧନ କାଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଗ୍ରୀନଲାଣ୍ଡ ଦଖଲ ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ ସାମରିକ ରଣନୀତି ଦୃଷ୍ଟିକୋଣରୁ ଆମେରିକା ପାଇଁ ଗ୍ରୀନଲାଣ୍ଡ ଜରୁରୀ। ଏଠାରୁ ଆମେରିକା ଖଣିଜ ପଦାର୍ଥ ଉତ୍ତୋଳନ କରିବ ନାହିଁ ବରଂ ନିଜର ସାମରିକ ଘାଟି ପ୍ରସ୍ତୁତ କରିବ। ଗ୍ରୀନଲାଣ୍ଡରେ ସାମରିକ ଘାଟି ପ୍ରସ୍ତୁତ ଦ୍ବାରା ଚୀନ ଓ ରୁଷ୍ ଭଳି ଶକ୍ତିଶାଳୀ ରାଷ୍ଟ୍ରଙ୍କୁ ଆମେରିକା ନିୟନ୍ତ୍ରଣ କରିପାରିବ। ଟ୍ରମ୍ପ କହିଛନ୍ତି ଯେ ଗ୍ରୀନଲାଣ୍ଡ ହେଉଛି ଏକ ବରଫ ଖଣ୍ଡ। ଏହାକୁ ଆମେରିକା ଦଖଲ କରିବା ଅତି ସହଜ। ଏହାକୁ ଆମେ ଶାନ୍ତିର ସହିତ ହାସଲ କରିବାକୁ ଚାହୁଁ। ଏଥିପାଇଁ କୌଣସି ଶକ୍ତି ପ୍ରୟୋଗର ଆବଶ୍ୟକ ନାହିଁ। ଆମେରିକାର ଏହି ଦାବିକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ବୋକା। ଗ୍ରୀନଲାଣ୍ଡ ଏହାର ଏକ ଅଂଶ ହୋଇଥିବାରୁ ଡେନମାର୍କ ଏହାକୁ ବିରୋଧ କରୁଛି। ମାତ୍ର ଡେନମାର୍କକୁ ଟ୍ରମ୍ପ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଗ୍ରୀନଲାଣ୍ଡକୁ ସୁରକ୍ଷା ଦେବା ଲାଗି ଡେନମାର୍କ ଅସମର୍ଥ। କେବଳ ଡେନମାର୍କ ନୁହେଁ କୌଣସି ଦେଶ ଗ୍ରୀନଲାଣ୍ଡକୁ ସୁରକ୍ଷା ଦେଇପାରିବେ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

    ରୁଷ୍ ଓ ଚୀନକୁ ମୁକାବିଲା କରିବା ଲାଗି ଟ୍ରମ୍ପ ଗ୍ରୀନଲାଣ୍ଡ ଦଖଲ କରିବାକୁ ଚାହୁଁଥିବା କହିଛନ୍ତି। ଅନ୍ୟପଟେ ସେ କହିଛନ୍ତି ଯେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‌ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ଉତ୍ତମ ବନ୍ଧୁ। ଟ୍ରମ୍ପ କହିଛନ୍ତି ଯେ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବା ସ୍ଥିତିରେ ରହିଛି। ଯୁଦ୍ଧ ପାଇଁ ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର୍‌ ଜେଲେନସ୍କିଙ୍କ ମଧ୍ୟରେ କଥାବାର୍ତ୍ତା ଚୂଡାନ୍ତ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି।

    ଏହି ଅବସରରେ ଟ୍ରମ୍ପ କହିଛନ୍ତି ଯେ ଗତବର୍ଷ ସେ ବିଶ୍ବର ୮ଟି ଯୁଦ୍ଧକୁ ରୋକିବାରେ ସଫଳ ହୋଇଛନ୍ତି। ଯେଉଁ ୮ଟି ଯୁଦ୍ଧକୁ ସେ ରୋକିଛନ୍ତି ସେଥିରେ ଭାରତ-ପାକିସ୍ତାନ ଭଳି ଯୁଦ୍ଧ ରହିଛି। କେବଳ ଭାରତ-ପାକ୍ ଯୁଦ୍ଧ ବନ୍ଦ ନୁହେଁ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଜଣେ ଘନିଷ୍ଠ ବନ୍ଧୁ ବୋଲି ଟ୍ରମ୍ପ ପୁଣି ଥରେ କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ମୋଦୀ ଜଣେ ଭଲ ନେତା ଓ ସେ ମୋର ଘନିଷ୍ଠ ବନ୍ଧୁ। ଆଗାମୀ ଦିନରେ ଭାରତ ଓ ଆମେରିକା ମଧ୍ୟରେ ଭଲ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି ବୋଲି ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.5 ° C
    31.5 °
    31.5 °
    61 %
    2.2kmh
    39 %
    Wed
    31 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ