Friday, October 2, 2026
22.2 C
Odisha

    ଦିଲ୍ଲୀ ଉପକଣ୍ଠକୁ ସ୍ଥାନାନ୍ତର ହେବ ତିହାର ଜେଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ତିହାର ଜେଲକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି। ଜେଲ ସ୍ଥାନାନ୍ତରଣ ସର୍ଭେ କାର୍ଯ୍ୟ ପାଇଁ ଚଳିତ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି। ଦିଲ୍ଲୀର ଆବାସିକ ସ୍ଥଳରେ ଏହି ଜେଲ ଅବସ୍ଥିତ ହୋଇଥିବାରୁ ଆଖପାଖରେ ବାସ କରୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ତେଣୁ ତିହାର ଜେଲକୁ ଦିଲ୍ଲୀ ଉପକଣ୍ଠସ୍ଥ କୌଣସି ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା କରାଯାଇଛି। ୧୯୫୮ରେ ସ୍ଥାପିତ ତିହାର ଦେଶର ଅନ୍ୟତମ ବୃହତ୍ତମ ଜେଲ ଭାବେ ପରିଗଣିତ ହୋଇଥାଏ। ୪୦୦ ଏକର ଜମିରେ ନିର୍ମିତ ତିହାର ପରିସରରେ ୯ଟି କେନ୍ଦ୍ରୀୟ ଜେଲ ରହିଛି। ଏହା ଦେଶର ସବୁଠାରୁ ସୁରକ୍ଷିତ ଜେଲ ହୋଇଥିବାବେଳେ ଏଠାରେ ଆତଙ୍କବାଦୀଙ୍କ ଭଳି ଦୁର୍ଦାନ୍ତ କଏଦୀଙ୍କୁ ରଖାଯାଇଥାଏ।ଏ ପର୍ଯ୍ୟନ୍ତ କୌଣସି କଏଦୀ ତିହାର ଜେଲରୁ ଚମ୍ପଟ ମାରିଥିବା ଜଣାପଡିନାହିଁ। ତିହାର ଜେଲରେ ସର୍ବାଧିକ ୫୨୦୦ କଏଦୀ ରହିବାର ବନ୍ଦୋବସ୍ତ ଥିବାବେଳେ ବର୍ତ୍ତମାନ ୧୪ ହଜାରୁ ଅଧିକ କଏଦୀ ରହିଛନ୍ତି। ଏତେସଂଖ୍ୟକ କଏଦୀଙ୍କ ଉପସ୍ଥିତି ଯୋଗୁଁ କଏଦୀଙ୍କ ପରିଚାଳନା ବ୍ୟବସ୍ଥା କ୍ରମଶଃ କଷ୍ଟକର ହୋଇପଡୁଛି। ୧୯୬୬ ପର୍ଯ୍ୟନ୍ତ ଏହି ଜେଲ୍‌ର ପରିଚାଳନା ଦାୟିତ୍ବ ପଞ୍ଜାବ ସରକାର ବହନ କରୁଥିଲେ। ପରବର୍ତ୍ତୀ ସମୟରେ ଏହା ଦିଲ୍ଲୀ ସରକାରଙ୍କ ଅଧୀନକୁ ଆସିଥିଲା। ଦେଶର ପ୍ରଥମ ମହିଳା ଆଇପିଏସ କିରଣ ବେଦୀ ଆଇଜି (ଜେଲ୍‌) ଥିବାବେଳେ ତିହାର ଜେଲରେ ଏକାଧିକ ସଂସ୍କାର ଆଣିଥିଲେ। ସେ ତିହାର ଜେଲ୍‌ର ନାମ ‘ତିହାର ଆଶ୍ରମ’କୁ ପରିବର୍ତ୍ତନ କରିଥିବାବେଳେ ଉଭୟ କଏଦୀ ଓ ଜେଲ୍‌ କର୍ମଚାରୀଙ୍କ ନିମନ୍ତେ ‘ବିପାସନା (ଯୋଗ)’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତିହାର ଜେଲରେ କଏଦୀଙ୍କ ଶିକ୍ଷା ପ୍ରତି ଉଚିତ ଧ୍ୟାନ ଦିଆଯାଇଥାଏ। ଇତିମଧ୍ୟରେ ୬୬ ଜଣ କଏଦୀ ସରକାରୀ ଚାକିରି ପାଇଥିବା ଜଣାପଡିଛି। ଏପରିକି ଜଣେ କଏଦୀ ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ମଧ୍ୟ ହୋଇଛନ୍ତି। ଏହା ବ୍ୟତୀତ ୩୧ ଜଣ କଏଦୀଙ୍କୁ ବିଭିନ୍ନ ଘରୋଇ କମ୍ପାନୀ ଏବଂ ସ୍ବେଚ୍ଛାସେବୀ ସଂଗଠନ (ଏନ୍‌ଜିଓ)ରେ ଚାକିରି ମିଳିସାରିଛି। ତିହାର ଜେଲରେ ଚାର୍ଲସ ଶୋଭରାଜ, ଛୋଟା ରାଜନ,ଲରେନ୍ସ ବିଷ୍ଣୋଇ, ଅଫଜଲ ଗୁରୁଙ୍କ ଭଳି କୁଖ୍ୟାତ ଅପରାଧୀଙ୍କ ବ୍ୟତୀତ ଲାଲୁ ପ୍ରସାଦ ଯାଦବ, ସ୍ବର୍ଗତ ସଞ୍ଜୟ ଗାନ୍ଧୀ, ସୁରେଶ କାଲମାଡି, ଅମର ସିଂହ, ଆନ୍ନା ହଜାରେ, ଅରବିନ୍ଦ କେଜରିୱାଲ, ପି.ଚିଦମ୍ବରମ, ବଲିଉଡ ଅଭିନେତା ସଞ୍ଜୟ ଦତ୍ତ, କହ୍ନେୟା କୁମାରଙ୍କ ଭଳି ବ୍ୟକ୍ତି କଏଦୀ ଭାବେ ଅବସ୍ଥାନ କରିସାରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ