Thursday, October 8, 2026
23.5 C
Odisha

    ଦୀର୍ଘତମ ପ୍ରଧାନମନ୍ତ୍ରୀ ଭାବେ ଇତିହାସ ରଚିବେ ମୋଦି, ଭାଙ୍ଗିବ ଜବାହରଲାଲ ନେହେରୁଙ୍କ ରେକର୍ଡ

    ଆଗକୁ ପଢନ୍ତୁ

    ଇତିହାସ ରଚିବେ ମୋଦି, ଭାଙ୍ଗିବ ଜବାହରଲାଲ ନେହେରୁଙ୍କ ରେକର୍ଡ । ଜୁନ୍ ୧୦ରେ ହେବେ ସବୁଠୁ ଦୀର୍ଘତମ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ଭାରତୀୟ ସ୍ଵାଧୀନତା ପରବର୍ତ୍ତୀ ଗଣତାନ୍ତ୍ରିକ ଇତିହାସରେ ଆସନ୍ତା ଜୁନ୍ ୧୦ ତାରିଖରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ପଛରେ ପକାଇ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ହୋଇ ଦାୟିତ୍ଵ ତୁଲାଇଥିବା ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିବେ।

    ୨୦୧୪ ମସିହା ମେ’ ୨୬ ତାରିଖରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ମୋଦି, ଆସନ୍ତା ଜୁନ୍ ୧୦ ସୁଦ୍ଧା ଅଫିସରେ ଲଗାତାର ୪,୩୯୯ ଦିନ ସମ୍ପୂର୍ଣ୍ଣ କରିବେ। ଏହା ସହିତ ସେ ନେହେରୁଙ୍କ ୪,୩୯୮ ଦିନର ନିରନ୍ତର ଶାସନର ରେକର୍ଡକୁ ଭାଙ୍ଗି ଦେବେ। ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ପରେ ୧୩ ମେ’ ୧୯୫୨ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ୨୭ ମେ’ ୧୯୬୪ ଯାଏଁ ନେହେରୁ ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଥିଲେ। ୨୦୧୪ରେ ବିଜେପିର ବହୁମତ ସହ ଆରମ୍ଭ ହୋଇଥିବା ମୋଦିଙ୍କ ଏହି ଯାତ୍ରା, ୨୦୧୯ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଜୟଯାତ୍ରା ଜାରି ରଖିଥିଲା।

    ପଣ୍ଡିତ ନେହେରୁଙ୍କ ପରେ ଦେଶରେ ଲଗାତାର ୩ଟି ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବାରେ ମୋଦି ହେଉଛନ୍ତି ଦ୍ଵିତୀୟ ନେତା। ଏହା ପୂର୍ବରୁ ଗତ ବର୍ଷ ଜୁଲାଇ ୨୦୨୫ରେ, ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସବୁଠାରୁ ଦୀର୍ଘତମ ନିରନ୍ତର କାର୍ଯ୍ୟକାଳ ୪,୦୭୭ ଦିନର ରେକର୍ଡକୁ ଅତିକ୍ରମ କରି ଦ୍ଵିତୀୟ ସ୍ଥାନକୁ ଆସିଥିଲେ।

    ଏବେ ସେ ଶୀର୍ଷ ସ୍ଥାନ ହାସଲ କରିବାକୁ ଯାଉଛନ୍ତି। ଭାରତ ଭଳି ଏକ ବହୁଦଳୀୟ ଏବଂ ବିବିଧତାଭରା ଗଣତନ୍ତ୍ରରେ ଲଗାତାର ୩ଟି ନିର୍ବାଚନ ଜିତି କ୍ଷମତା ବଜାୟ ରଖିବା ଏକ ବିରଳ ବ୍ୟାପାର ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଏହା ମୋଦି ସରକାରଙ୍କ ଭିତ୍ତିଭୂମି ବିକାଶ, ଡିଜିଟାଲ୍ କ୍ରାନ୍ତି, ସୁଦୃଢ଼ ବୈଦେଶିକ ନୀତି ଏବଂ ଆର୍ଥିକ ସଂସ୍କାର ଉପରେ ଦେଶବାସୀଙ୍କ ଅତୁଟ ବିଶ୍ଵାସର ଏକ ପ୍ରମାଣ।

    ବିରୋଧୀ ଦଳଗୁଡ଼ିକ ଏହି ସେବା ଅବଧିର ରେକର୍ଡକୁ ସ୍ଵୀକାର କରିବା ସହ ବେକାରୀ, ମୁଦ୍ରାସ୍ଫୀତି ଏବଂ ଗଣତାନ୍ତ୍ରିକ ସଂସ୍ଥାର ସୁରକ୍ଷା ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି। ତେବେ ଏସବୁ ସତ୍ତ୍ଵେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଏବେ ବିକଶିତ ଭାରତ ଲକ୍ଷ୍ୟ ହାସଲ ଉପରେ ରହିଛି। ଆସନ୍ତା ଜୁନ୍ ୧୦ ତାରିଖ ଭାରତର ରାଜନୈତିକ ଇତିହାସ ପୃଷ୍ଠାରେ ଏକ ସ୍ମରଣୀୟ ଦିନ ଭାବେ ଲିପିବଦ୍ଧ ହେବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    88 %
    1.6kmh
    4 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ