Sunday, April 5, 2026
28 C
Odisha

    ଦୁଇବର୍ଷ ହେଲା ବନ୍ଦପଡ଼ିଛି ଲେମନ୍‌ଗ୍ରାସ୍‌ ପ୍ରୋସେସିଂ ୟୁନିଟ୍‌

    ଆଗକୁ ପଢନ୍ତୁ

    ସୋନପୁର: ସୋନପୁର ବ୍ଲକ୍‌ ଲକର୍ମା ଗ୍ରାମରେ ଥିବା ଲେମନ୍‌ଗ୍ରାସ୍‌ (ଧନ୍ବନ୍ତରୀ ଘାସ) ପ୍ରୋସେସିଂ ୟୁନିଟ୍‌ ଗତ ଦୁଇବର୍ଷ ହେଲା ବନ୍ଦ ହୋଇପଡ଼ିଛି। ପରିଚାଳନାଗତ ତ୍ରୁଟି ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ତତ୍କାଳୀନ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଉଦ୍ୟମକ୍ରମେ ଲକର୍ମା ଗାଁର ଅବ୍ୟବହୃତ ଜମି‌ରେ ଏହି ଘାସ ଚାଷ ୨୦୨୦ ନଭେମ୍ବର ୧୮ ତାରିଖରେ ଆରମ୍ଭ ହୋଇଥିଲା। ଯୋଜନା ଓ ପରିସଂଖ୍ୟାନ ବିଭାଗ ଉପନିର୍ଦେଶକ ଏବଂ ଓର୍‌ମାସ୍‌ର ମିଳିତ ସହଯୋଗରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହି ୟୁନିଟ୍‌ ପ୍ରତିଷ୍ଠା ‌ହୋଇଥିଲା। ପ୍ରାୟ ୪୦ ହେକ୍ଟର ପଡ଼ିଆ ଜମିରେ ଏହି ଚାଷ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା।ଗାଁର ୧୮ ଜଣ ଚାଷୀ ନିଜ ଜମି‌ରେ ଏହି ଚାଷ କରିଥିଲେ। ୨୦୧୯-୨୦ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକଙ୍କ ଦ୍ବାରା ଜମି ପ୍ରସ୍ତୁତ ସହ ଚାରା ଓ ଖତ ସାର ଯୋଗାଇ ଦିଆଯାଇଥିଲା। ଚାଷୀଙ୍କୁ ପ୍ରୋତ୍ସାହନ ସ୍ବରୂପ ଘାସଚାଷ ପାଇଁ ମନରେଗା ଯୋଜନାରେ ମଜୁରି ମଧ୍ୟ ଦିଆଯାଇଥିଲା।ଘାସ ଲଗାଇବାର ୯୦ ଦିନ ପରେ ପ୍ରଥମଥର ପାଇଁ ଏହି ଘାସ କଟାଯାଇଥିଲା। ପରେ ୪୫ ଦିନ ଅନ୍ତରରେ ଘାସ କଟାଯାଇଥିଲା। ଏହି ଚାଷରେ ରୋଗପୋକ ଭୟ ନଥିବା ବେଳେ ଗୋରୁ ମଧ୍ୟ ଏହି ଘାସ ଖାଇନଥିଲେ। ଫଳରେ ଚାଷୀଙ୍କ ଆଗ୍ରହ ଏହି ଚାଷ ପାଇଁ ବଢ଼ିଥିଲା। ଥରେ ଘାସ ଲଗାଇଲେ ଏକର ପ୍ରତି ବାର୍ଷିକ ସର୍ବନିମ୍ନ ୫୦ ହଜାର ଟଙ୍କାର ଲେମନଗ୍ରାସ ତେଲ ମିଳୁଥିଲା। ପ୍ରଥମ ୨ ବର୍ଷ ଚାଷୀ ତେଲ ବିକ୍ରି କରି ଭଲ ଆୟ କରିଥିଲେ। ଚାଷୀ ୭ ବର୍ଷ ପର୍ଯ୍ୟନ୍ତ ବିଶେଷ ପରିଶ୍ରମ ନକରି ଭଲ ରୋଜଗାର କରିବେ ବୋଲି ଆଶା କରାଯାଇଥିଲା। ଦେଶ ବିଦେଶରେ ଏହି ତେଲର ଚାହିଦା ରହିଛି।ତେଲ ଲିଟର ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଥିବାରୁ ଚାଷୀ ଖୁସି ହୋଇଥିଲେ। ଚାଷୀ ଘଡ଼ିଗୋପାଳ ନାୟକ, ଦୁଃଶାସନ ବଗର୍ତ୍ତି, କୁଶଳେଶ୍ବର ଅମାତ, ଲୋଚନ ରଣା, ପାର୍ଥ ରଣା, ଦାସ ରଣା, ଲିଙ୍ଗରାଜ ରଣା, କୃଷ୍ଣଚନ୍ଦ୍ର ବାଗ, ଭୁବନ ମିଶ୍ର, ଗଣେଶ ରଣା, ସ୍ବପ୍ନା ଝାଙ୍କର ପ୍ରମୁଖ ଏହି ଚାଷ କରିଥିଲେ। ଏଥିପାଇଁ ଗାଁରେ ଜୟ ମାଁ ଗ୍ରାମପତି ନାମରେ ଏକ ପ୍ରଡ୍ୟୁସର ଗ୍ରୁପ ଗଠିତ ହୋଇଥିଲା।ପରବର୍ତ୍ତୀ ସମୟରେ ୬୦ ହେକ୍ଟର ଜମିରୁ ବାହାରିବାକୁ ଥିବା ଘାସ ପେଷି ତେଲ ବାହାର ପାଇଁ ଓରମାସ ପକ୍ଷରୁ ଏକ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା ହୋଇଥିଲା। ଭୁବନେଶ୍ବରର ଫାଇଟୋବାୟୋକ୍ସ ମ୍ୟାନୁଫାକଚର୍ସ ପ୍ରାଇଭେଟ ଲିମିଟେଡ଼ ଏହି ୟୁନିଟ ପ୍ରତିଷ୍ଠା କରିବା ସହ ଚାଷୀଙ୍କ ନିକଟରୁ ଏହି ତେଲ କିଣିବା ପାଇଁ ଚୁକ୍ତି କରିଥିଲା।କିିନ୍ତୁ ତତ୍କାଳୀନ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀଙ୍କ ବଦଳି ପରେ ଏହି ପ୍ରକଳ୍ପକୁ କେହି ଗୁରୁତ୍ବ ଦେଲେ ନାହିଁ। ଫଳରେ ଗତ ୨ ବର୍ଷ ହେଲା ଏହି ୟୁନିଟ ବନ୍ଦ ପଡ଼ିଛି। ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଶୀଘ୍ର ଏହି ୟୁନିଟକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ