Friday, October 2, 2026
22.2 C
Odisha

    ଦୁର୍ଗମ ତୁର୍କାରୁ ରାଇସିନା ହିଲ ପହଞ୍ଚିଲେ ୪ ଆଦିବାସୀ ଛାତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମରୁ ଚାରି ଆଦିବାସୀ ଛାତ୍ରୀ ପଦ୍ମା ମାଝୀ, ଦଇମତି ମାଝୀ, ଗୀତା ମାଝୀ, ଜନତି ମାଝୀ ଗତକାଲି ଦିଲ୍ଲୀର ରାଇସିନା ହିଲ ସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ୨୦୨୨ ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଏହି ଦୁର୍ଗମ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ଥିଲା। ସ୍ଥାନୀୟ ଲୋକ ବିଦ୍ୟୁତ୍, ସଡ଼କ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିଲେ। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଉଦ୍ୟମକ୍ରମେ ଦୁର୍ଗମ ତୁର୍କା ଗ୍ରାମରେ ପ୍ରଶାସନ ପହଞ୍ଚିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମରେ ସଡ଼କ, ବିଦ୍ୟୁତ୍ ଓ ପାନୀୟଜଳ ସୁବିଧା ନିର୍ମାଣ ହୋଇଥିଲା। ଗ୍ରାମରେ ସମୁଦାୟ ୪୮ଟି ପରିବାର ରହୁଛନ୍ତି। ସ୍ୱାଧୀନତା ପରଠାରୁ ତୁର୍କା ଗ୍ରାମରୁ କେହି ପାଠପଢ଼ି ନଥିବା ଜଣାପଡ଼ିଥିଲା। ଶିକ୍ଷାର ପ୍ରସାର ପାଇଁ ସାଂସଦ ସୁଜିତ କୁମାର ୪ ଆଦିବାସୀ ବାଳିକାଙ୍କୁ ଆଣି ଭଟାଙ୍ଗପଦର ହାଇସ୍କୁଲରେ ନାମ ଲେଖାଇଥିଲେ। ସେମାନଙ୍କ ପାଠପଢ଼ାର ସମସ୍ତ ଖର୍ଚ୍ଚ ସେ ବହନ କରିଥିଲେ। ଦେଶର ପ୍ରଥମ ନାଗରିକଙ୍କ ସହ ସାକ୍ଷାତ ପାଇଁ ବୁଧବାର ସଂଧ୍ୟାରେ ୪ ଛାତ୍ରୀ ଦିଲ୍ଲୀରେ ଆସି ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂପୃକ୍ତ ୪ ଆଦିବାସୀ ଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଏବଂ ଦୁର୍ଗମ ତୁର୍କାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା ବିଷୟରେ ପଚାରି ବୁଝିଥିଲେ। ଜୀବନରେ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେବା ସହ ନିଜ ଛାତ୍ରୀ ସମୟର ପାଠପଢ଼ା ଅନୁଭୂତି ବିଷୟରେ ଜଣାଇଥିଲେ। ଆଧ୍ୟାତ୍ମିକତା ପ୍ରତି ରୁଚି ରଖିବା ସହ ଖେଳକୁଦ କରିବା ଏବଂ ଜୀବନରେ ବଡ଼ ଲକ୍ଷ୍ୟ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଛାତ୍ରୀମାନେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପ୍ରାର୍ଥନା ଗାନ କରିଥିବାବେଳେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଖୁସି ହୋଇ ସେମାନଙ୍କୁ ଚକୋଲେଟ ଦେଇଥିଲେ। ରାଷ୍ଟ୍ରପତିଙ୍କ ସହ ସେମାନଙ୍କ ସାକ୍ଷାତ ପ୍ରେରଣାଦାୟକ ଥିଲା। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଭେଟି ଖୁବ୍‌ ଖୁସି ଲାଗୁଛି ବୋଲି ଛାତ୍ରୀମାନେ କହିଛନ୍ତି। ପରେ ସାଂସଦ ସୁଜିତ କୁମାରଙ୍କ ସହ ଛାତ୍ରୀମାନେ ଭାରତୀୟ ସଂସଦ ଭବନକୁ ବୁଲି ଦେଖିଥିଲେ। ଆଗାମୀ ଦିନରେ ଗ୍ରାମରୁ ଅଧିକ ପିଲା କିପରି ପାଠପଢ଼ିବେ ସେଥିପ୍ରତି ଧ୍ୟାନ ଦେବି ବୋଲି ସାଂସଦ ସୁଜିତ କୁମାର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ