Wednesday, October 7, 2026
31.4 C
Odisha

    ଦେଶବ୍ୟାପୀ ବାଣ ବିକ୍ରି ନିଷିଦ୍ଧ ହେଉ: ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :  କେବଳ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେଉ ନାହିଁ। ଦେଶର ଅନ୍ୟ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ହେଉଛି। ତେଣୁ ବାୟୁ ପ୍ରଦୂଷଣକୁ ରୋକିବା ଲାଗି କେବଳ ଏନସିଆର ନୁହେଁ ସାରା ଦେଶରେ ବାଣ ବିକ୍ରିକୁ ନିଷିଦ୍ଧ କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ ରଖିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଗତକାଲି ମତବ୍ୟକ୍ତ କରିଛନ୍ତି ଯେ ବିଶୁଦ୍ଧ ବାୟୁ ପାଇବାର ଅଧିକାର କେବଳ ଦିଲ୍ଲୀ ସହରବାସୀଙ୍କ ନାହିଁ। ଏହି ଅଧିକାର ଅନ୍ୟ ସହରବାସୀଙ୍କର ରହିଛି। ତେଣୁ ପ୍ରଦୂଷଣ ରୋକିବା ପାଇଁ ଯେଉଁ ନିୟମ ପ୍ରଣୟନ ହେଉଛି ତାହା ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବା ଦରକାର। ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ବାଣ ବିକ୍ରି, ଗଚ୍ଛିତ, ପରିବହନ ଓ ତିଆରିକୁ ନିଷିଦ୍ଧ ପୂର୍ବକ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦେଶନାମା ଜାରି କରିଥିଲେ। ବିଚାରପତି ଅଭୟ ଏସ୍ ଓକା ଓ ବିଚାରପତି ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ପୀଠ ଏନସିଆରରେ ବାଣ ବିକ୍ରି ନିଷିଦ୍ଧକୁ କାର୍ଯ୍ୟକାରୀ କରିବା ଲାଗି ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହରିୟାଣା ସରକାରଙ୍କୁ ନିର୍ଦେଶ ଦେଇଥିଲେ।

     

    ସୁପ୍ରିମକୋର୍ଟଙ୍କ ଏପରି ନିର୍ଦେଶକୁ ଚାଲେଞ୍ଜ କରି ଦାୟର ଆବେଦନ ଉପରେ ପ୍ରଧାନ ବିଚାରପତି ଗବଇ ଓ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କ ପୀଠ ଶୁକ୍ରବାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ ବାଣ ବିକ୍ରିକୁ ନିଷିଦ୍ଧ କରାଯାଉ। ଦିଲ୍ଲୀରେ ଉଚ୍ଚ ବର୍ଗର ଲୋକ ବାସ କରୁଥିବାରୁ ଆମେ କେବଳ ତାଙ୍କ ପାଇଁ ନିୟମ ପ୍ରଣୟନ କରିବା ଉଚିତ୍ ନୁହେଁ। ଗତ ଶୀତ ଋତୁରେ ସେ ଅମୃତସର ଯାଇଥିବାବେଳେ ସେଠାରେ ଦିଲ୍ଲୀ ଠାରୁ ଅଧିକ ପ୍ରଦୂଷଣ ଅନୁଭବ କରିଥିଲେ। ଏହି ମାମଲାରେ କୋର୍ଟମିତ୍ର ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ଓକିଲ ଅପରାଜିତା ସିଂହ କହିଥିଲେ ଯେ ଦିଲ୍ଲୀରେ ଯେତେବେଳେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି ସେତେବେଳେ ଉଚ୍ଚ ବର୍ଗର ଲୋକେ ସହର ଛାଡି ବାହାରକୁ ପଳାଉଛନ୍ତି। ଆର୍ଥିକ ଅନଗ୍ରସର ଓ ଗରିବ ଲୋକେ ପ୍ରଦୂଷଣର ବେଶୀ ଶିକାର ହେଉଛନ୍ତି।

    ସମ୍ବିଧାନର ଧାରା ୨୧ ଅନୁଯାୟୀ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଜୀବନ ଧାରଣ କରିବାର ଅଧିକାର ସମସ୍ତଙ୍କର ରହିଛି। ତେଣୁ ପରିବେଶ କ୍ଷେତ୍ରରେ ସମସ୍ତଙ୍କ ପାଇଁ ସମାନ ନିୟମ କାର୍ଯ୍ୟକାରୀ କରାଯିବା ଦରକାର। କୋର୍ଟ ମିତ୍ର ବରିଷ୍ଠ ଓକିଲ କେ ପରମେଶ୍ବର କହିଥିଲେ ଯେ ବାଣ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଦ୍ବାରା ଅନେକ ଲୋକଙ୍କ ଜୀବିକା ପ୍ରଭାବିତ ହେଉଛି। ତେଣୁ ଏହି ନିଷେଧାଦେଶକୁ ସୀମିତ ସମୟ ଅକ୍ଟୋବରରୁ ଫେବୃଆରୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉ। ବାଣ ବିକ୍ରି ନିଷେଧାଦେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୨ରେ ପୁନର୍ବାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ସମୟ ମଧ୍ୟରେ ଦିଲ୍ଲୀରେ ବାୟୁ ମାନକ ପରିଚାଳନା ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟିଙ୍କୁ ନିର୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ