ବାରଣାସୀ : ଭାରତୀୟ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ବାରଣାସୀରେ ଆୟୋଜିତ ହୋଇଛି ଏୟାର ଶୋ ‘ୱିଙ୍ଗ୍ସ ଓଭର ଗଙ୍ଗା’। ଏହି ଏୟାର ଶୋରେ ରାଫେଲ୍, ସୁଖୋଇ, ମିରାଜ୍-୨୦୦୦, ମିଗ୍-୨୯, ଜାଗୁଆର୍ ସମେତ ଅନେକ ଯୁଦ୍ଧବିମାନ ଓ ହେଲିକପ୍ଟର ନିଜର ପରାକ୍ରମ ପ୍ରଦର୍ଶନ କରିଛନ୍ତି । ଅକ୍ଟୋବର ୨୨ରୁ ଆରମ୍ଭ ହୋଇଥିବା ଏହି ଆୟୋଜନରେ ମୋଟ ୧୦୦ଟି ବିମାନ ସାମିଲ ହୋଇଛି ।
ଅକ୍ଟୋବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ରୋଡ୍ ଶୋ କରିଥିଲେ । ପୋଲିସ ଲାଇନରୁ ଚୌକାଘାଟ ଦେଇ ନମୋ ଘାଟ ଅଭିମୁଖେ ତାଙ୍କ କାରକେଡ୍ ଯାଇଥିଲା । ଏୟାର ଶୋ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାରେ ୧୧,୫୦୦ରୁ ଅଧିକ ପୋଲିସ କର୍ମଚାରୀ ଓ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ୨୦୦ଟି ସିସିଟିଭି କ୍ୟାମେରା ସମଗ୍ର ଅଞ୍ଚଳ ଉପରେ ନଜର ରଖିଥିଲା ।
ଏହି ଏୟାର ଶୋରେ ଚେନ୍ନାଇ ଓ ଗ୍ୱାଲିୟର ସମେତ ଦେଶର ୧୨ଟି ଏୟାରବେସରୁ ବିମାନଗୁଡ଼ିକ ଉଡ଼ାଣ ଭରିଥିଲେ । ଏଥିରେ ୫୨ଟି ଯୁଦ୍ଧବିମାନ, ୧୫ଟି ପରିବହନ ବିମାନ, ୩୨ଟି ହେଲିକପ୍ଟର ଏବଂ ଗୋଟିଏ ଐତିହ୍ୟ ବିମାନ ସାମିଲ ହୋଇଥିଲା । ରାଫେଲ୍, ମିରାଜ୍-୨୦୦୦, ସୁଖୋଇ, ମିଗ୍-୨୯ ଓ ଜାଗୁଆର୍ ଭଳି ଶକ୍ତିଶାଳୀ ଯୁଦ୍ଧବିମାନ ନିଜର କ୍ଷମତା ପ୍ରଦର୍ଶନ କରିଥିଲେ ।
ଏହା ସହ ଆପାଚେ ଓ ଚିନୁକ୍ ହେଲିକପ୍ଟର ଏବଂ ସି-୨୯୫, ସି-୧୭ ଓ ସି-୧୩୦ ଭଳି ପରିବହନ ବିମାନ ମଧ୍ୟ ଏୟାର ଶୋରେ ସାମିଲ ହୋଇ ନିଜର ଦକ୍ଷତା ଦେଖାଇଥିଲେ ।
ବିମାନଗୁଡ଼ିକ ଆକାଶରେ ମହାଦେବ, ନଟରାଜ, କୈଳାସ, ବିଶ୍ୱନାଥ, ତ୍ରିଦେବ, ବରୁଣା, ହନୁମାନ, ଓଁକାର, ଭାଗୀରଥୀ, କାଶୀ ଓ ରୁଦ୍ର ଆଦି ନାମ ଉପରେ ଆଧାରିତ ବିଭିନ୍ନ ଫର୍ମେସନ୍ ପ୍ରଦର୍ଶନ କରିଥିଲେ । ଏହି ଦୃଶ୍ୟ ଏୟାର ଶୋକୁ ଆହୁରି ଆକର୍ଷଣୀୟ କରିଥିଲା ।
